ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ବାଂଲାଦେଶରେ ଏବେ ଚୀନର ଅନୁପ୍ରବେଶ ବଢ଼ୁଥିବାବେଳେ ଏନେଇ ସତର୍କ ହୋଇଛି ଭାରତ। ବାଂଲାଦେଶର ‘ତିସ୍ତା ନଦୀ ପ୍ରକଳ୍ପ’ ଏବଂ ‘ଚୀନ୍-ବାଂଲାଦେଶ-ମ୍ୟାଁମାର ଅର୍ଥନୈତିକ କରିଡରରେ ବେଜିଂର ସହଯୋଗକୁ ନେଇ ନୂଆଦିଲ୍ଲୀ କଡ଼ା ନଜର ରଖିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ପଡ଼ୋଶୀ ଦେଶରେ ଘଟୁଥିବା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ ଭାରତର ନଜର ରହିଛି ଏବଂ ଆବଶ୍ୟକ ସ୍ଥଳେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ। ନିକଟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଚୀନ୍ ଗସ୍ତ ସମୟରେ ‘ତିସ୍ତା ରିଭର କମ୍ପ୍ରିହେନ୍ସିଭ୍ ମ୍ୟାନେଜମେଣ୍ଟ ଆଣ୍ଡ ରିଷ୍ଟୋରେସନ ପ୍ରକଳ୍ପ’ ପାଇଁ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, “ଭାରତ ନିଜ ପଡ଼ୋଶୀ ଆଞ୍ଚଳିକ ସୁରକ୍ଷା ଏବଂ ସେଠାରେ ଚାଲିଥିବା ସମସ୍ତ ଗତିବିଧି ପ୍ରତି ସମ୍ପୂର୍ଣ୍ଣ ସଚେତନ । ଆମର ଜାତୀୟ ସ୍ୱାର୍ଥ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସମୟ ଅନୁସାରେ ରଣନୀତି ପ୍ରସ୍ତୁତ କରାଯିବ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିସ୍ତା ପ୍ରକଳ୍ପ ବାବଦରେ ଭାରତ ପୂର୍ବରୁ ହିଁ ବାଂଲାଦେଶ ନିକଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଚୀନର ଏହି ପଦକ୍ଷେପ ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଚିନ୍ତାଜନକ । ତିସ୍ତା ପ୍ରକଳ୍ପ ବାଂଲାଦେଶର ଯେଉଁ ଅଞ୍ଚଳରେ ହେବାକୁ ଯାଉଛି, ତାହା ଭାରତର ସବୁଠାରୁ ସମ୍ବେଦନଶୀଳ ‘ଚିକେନ୍ ନେକ୍’ ନିକଟବର୍ତ୍ତୀ । ଏହି ସଂକୀର୍ଣ୍ଣ ଭୂଭାଗ ହିଁ ପୂର୍ବୋତ୍ତର ଭାରତକୁ ବାକି ଦେଶ ସହ ଯୋଡ଼ିଥାଏ । ଏଠାରେ ଚୀନ୍ ବିଶେଷଜ୍ଞଙ୍କ ଉପସ୍ଥିତି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ଯଦି ଏହି ପ୍ରକଳ୍ପ ସଫଳ ହୁଏ, ତେବେ ଚୀନ୍ ସିଧାସଳଖ ଭାବେ ବଙ୍ଗୋପସାଗରରେ ପହଞ୍ଚିବାକୁ ସୁଯୋଗ ପାଇବ, ଯାହା ଭାରତୀୟ ନୌସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୨୦୨୪ରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିସ୍ତା ନଦୀର ସଂରକ୍ଷଣ ଓ ପରିଚାଳନା ପାଇଁ ଭାରତ ପକ୍ଷରୁ ବୈଷୟିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ୫୪ଟି ବହୁମୁଖୀ ନଦୀ ରହିଛି, ହେଲେ ତିସ୍ତା ନଦୀର ଜଳବଣ୍ଟନକୁ ନେଇ ଦୀର୍ଘ ଦିନ ହେବ କୌଣସି ଆନୁଷ୍ଠାନିକ ଚୁକ୍ତି ହୋଇପାରିନାହିଁ । ଏହାର ସୁଯୋଗ ନେଇ ଚୀନ୍ ଏବେ ବାଂଲାଦେଶର ନୂତନ ବାଂଲାଦେଶ ସରକାର ସହ ମିଶି ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି ।
