ବେଜିଂ(ସତ୍ୟପାଠବ୍ୟୁରୋ): ଚୀନ୍‌ର ହୁବେଇ ପ୍ରଦେଶରେ ଭୟଙ୍କର ଝଡ଼ ଏବଂ ପ୍ରବଳ ବର୍ଷା ହୋଇଥିବାବେଳେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ହୁବେଇର ଜରୁରୀକାଳୀନ ପରିଚାଳନା ବିଭାଗ ସୂଚନା ଦେଇଛି, ଏହି ଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ, କିଛି ଘଣ୍ଟା ମଧ୍ୟରେ ସମଗ୍ର ଅଞ୍ଚଳର ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଯାଇଥିଲା। ସୋମବାର ସନ୍ଧ୍ୟାରେ ମାତ୍ର ଚାରି ଘଣ୍ଟା ମଧ୍ୟରେ, ହୁବେଇର ଅନେକ ପ୍ରମୁଖ ସହରରେ ଘଣ୍ଟା ପ୍ରତି ୧୪୯ କିଲୋମିଟର ବେଗରେ ଭୟଙ୍କର ପବନ ବୋହିଥିଲା। ଫଳରେ ହୁଆଙ୍ଗସି, ହୁଆଙ୍ଗଗାଙ୍ଗ, ଏଜୋଉ ଏବଂ ଜିଆନିଙ୍ଗ୍ ଭଳି ସହରରେ ବହୁ କ୍ଷତି ଘଟିଛି। ଶହ ଶହ ଗଛ ଉପୁଡ଼ି ପଡ଼ିଛି, ବିଦ୍ୟୁତ୍ ଭିତ୍ତିଭୂମି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି, ଏବଂ ଅନେକ ଘରର ଛାତ ଉଡ଼ିଯାଇଛି। ଏହା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ଖରାପ ପାଗ ବାଧା ସୃଷ୍ଟି କରୁଥିବା ସରକାର କହିଛନ୍ତି। ଚୀନ୍‌ର ଜାତୀୟ ପାଣିପାଗ କେନ୍ଦ୍ର ଏକ ସତର୍କ ସୂଚନା ଜାରି କରିଛି ଯେ, ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ ଏବଂ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଦେଶର ବିଭିନ୍ନ ସ୍ଥାନରେ ମୁସଳଧାରାରେ ବର୍ଷା ଏବଂ ଘୂର୍ଣ୍ଣିବାତ୍ୟା ହେବାର ଆଶଙ୍କା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ଗୁଆଙ୍ଗସି ଅଞ୍ଚଳ ଏବଂ ପୂର୍ବ ପ୍ରଦେଶ ଜିଆଙ୍ଗସୁ ଏବଂ ଶାନଡୋଙ୍ଗରେ ୨୬୦ ମିମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ପାର୍ବତ୍ୟାଞ୍ଚଳରେ ବିପଜ୍ଜନକ ଭୂସ୍ଖଳନ ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।