ଜେଲର ଅନ୍ଧାରୀ କୋଠରୀରେ ହଜିଗଲା ଯୌବନ, ପରେ ନିର୍ଦ୍ଦୋଷରେ ଖଲାସ ହେଲେ ହାବିଲ

ଦୀର୍ଘ ୧୯ ବର୍ଷ ଜେଲ ର ଅନ୍ଧାର କୋଠରିରେ ବିତିଲା ଯୌବନ | ମାତ୍ର ଶେଷରେ ନିର୍ଦୋଷ ରେ ଖଲାସ ହେଲେ ଜଣେ ବିଚାରଧୀନ କଏଦୀ | ତେବେ ଏଠି ପ୍ରଶ୍ନ ଉଠୁଛି ଯୌବନର ୧୯ ବର୍ଷ କିଏ ଫେରାଇବ ? କେଉଁଠି ରହିଗଲା ଭୁଲ ? ଯେଉଁଠି ପାଇଁ ଜେଲ୍ ଭିତରେ ବିତିଲା ୧୯ ବର୍ଷ ।

ଆମ ଆଇନ କହୁଛି, ୧୦୦ ଦୋଷୀ ପଛେ ଖସି ଯାଆନ୍ତୁ, ହେଲେ ଜଣେ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ । ହେଲେ ଏଠି ୧୯ ବର୍ଷ ଜେଲରେ ରହିବା ପରେ ପ୍ରମାଣ ଅଭାବରୁ ମୁକ୍ତି ପାଇଛନ୍ତି ମୟୂରଭଞ୍ଜନ ଯଶିପୁର ଥାନା ବଳରାମପୁର ଗାଁର ବିଚାରାଧୀନ କଏଦୀ ହାବିଲ ସିନ୍ଧୁ । ଜିଲ୍ଲା ଦୌରାଜଜ୍ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

୨୦୦୩ ମସିହାର କଥା । ଶ୍ବଶୁର ଘର କୁଦୁପୁଟୁରେ ରହୁଥିଲେ ହାବିଲ । ସ୍ଥାନୀୟ ଲୋକେ ତାଙ୍କ ଶୁଶୁଙ୍କୁ ଡାହାଣୀ ବୋଲି ସନ୍ଦେହ କରୁଥିଲେ । ଶାଶୁଘର ଗାଁକୁ ଜମାଦାର ପିଙ୍ଗୁଅ, ତାଙ୍କ ୨ ବର୍ଷ ପୁଅ ଶୁକୁରୁ ପିଙ୍ଗୁଅ ଓ ଦାଦା ତୁରମ ପୁର୍ତ୍ତି ଆସିଥିଲେ । ହେଲେ ସେମାନେ ଘରକୁ ଫେରି ନଥିଲେ । ୩ ତାରିଖରେ ଯଶୀପୁର ଖଇର ନଦୀ ପଠାରୁ ସେମାନଙ୍କ ଗଣ୍ଡିମୁଣ୍ଡ ଅଲଗା ମୃତଦେହ ଉଦ୍ଧାର କରାଯାଇଥିଲା । ହୋମଗାର୍ଡଙ୍କ ଅଭିଯୋଗକୁ ଆଧାର କରି ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ହାବିଲଙ୍କୁ ଗିରଫ କରିଥିଲା । ଗିରଫ ପରେ ୨ ବର୍ଷ ଚାଲିଲା ବିଚାର । ୨୦୦୫ରେ ବାରିପଦାର ତତ୍କାଳୀନ ଅତିରିକ୍ତ ଦୌରାଜଜ୍ ମାମଲାର ବିଚାର କରି ହାବିଲଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଥିଲେ ।

କୋର୍ଟଙ୍କ ରାୟକୁ ବିରୋଧ କରି ହାବିଲ ଉଚ୍ଚ ନାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ଆବେଦନର ବିଚାର କରି ଉଚ୍ଚ ନ୍ୟାୟାଳୟ ମାମଲାର ପୁନଃର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଗଡୁଥିଲା ତାରିଖ ପରେ ତାରିଖ, ଚାଲୁଥିଲା ବିଚାର । ବିଚାର ହୋଇ ରାୟ ଆସିବାକୁ ଲାଗିଗଲା ୧୬ ବର୍ଷ । ଆଉ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

କୋର୍ଟରୁ ମୁକ୍ତି ପାଇବା ପରେ ଖୁସି ଜାହିର କରିଛନ୍ତି ହାବିଲ । ମୁହଁରୁ ହସ ଫୁଟୁଛି ।

Related Posts