ସ୍ନାନଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜ୍ବରରେ ଫୁଟୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଘନ ଅନ୍ଧକାର ମଧ୍ୟରେ ଗୁପ୍ତ ସେବା ଯୋଗଉଛନ୍ତି ଶ୍ରୀଅଙ୍ଗ ସେବକ । ପ୍ରଥମ ଦିନରେ ରାହୁରେଖା ଓ ସୁନା ଚିତା ଓଲାଗି କରାଯାଇଛି । ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରିଛନ୍ତି ଦଇତାପତି । ଅଣସରରେ ଥିବା ଠାକୁରଙ୍କୁ ଚକଟା ପଣା ସହ ଫଳ ଭୋଗ କରାଯାଉଛି । ଜ୍ବରରେ ପୀଡ଼ିତ ଥିବାରୁ ମହାପ୍ରଭୁଙ୍କୁ ଓଦା କପଡ଼ା ଲାଗି କରାଯିବାର ପରମ୍ପରା ରହିଛି। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ। ଏହି ଅବସରରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳକ ଲାଗି କରାଯିବାର ପରମ୍ପରା ରହିଛି। ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଥାନ୍ତି ।
ରତ୍ନ ସିଂହାସନରେ ପଟି ଦିଅଁଙ୍କ ପୂଜାର୍ଚ୍ଚନା
ଅଣସର ଘରେ ଥିବାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ବଂଚିତ ଭକ୍ତ ଓ ସେବାୟତ । ସେପଟେ ରତ୍ନ ସିଂହାସନରେ ପୂଜା ପାଉଛନ୍ତି ପଟି ଦିଅଁ। କୋଠସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧି ପଟିଦିଅଁଙ୍କୁ ରୁନ୍ଧା ଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୂବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଉଛନ୍ତି । ପରମ୍ପରା ଅନୁସାରେ ପଟିଦିଅଁ ସମ୍ମୁଖରେ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି କରାଯାଉଛି । ଅଣସର ତାଟି ସମ୍ମୁଖରେ ପଟି ଦିଅଁ ଖଟୁଲି ଉପରେ ଦଶଅବତାର ଠାକୁର ବିଜେ କରିଛନ୍ତି ।
