ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠ ସରବାହାଲ ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକାସାଙ୍ଗରେ ଶଙ୍କର ଜୁଏଲର୍ସ ଓ ଭି-ମାର୍ଟରେ ଲାଗିଛି ନିଆଁ। ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଥିଲେ। ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବିଭାଗର ଏକାଧିକ ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ନିୟନ୍ତ୍ରଣ କରିବାକୁ ପାଣି ସିଞ୍ଚନ ଜାରି ରଖିଛନ୍ତି । ତେବେ ନିଆଁର ତୀବ୍ରତା ଅଧିକ ଥିବାରୁ ଏପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ବହୁ ସମୟ ଲାଗିଥିଲା। ଅଗ୍ନିକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳ ନିକଟକୁ ନଯିବାକୁ ପ୍ରଶାସନ ପରାମର୍ଶ ଦେଇଛି । ପୋଲିସ ମଧ୍ୟ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭିଡ଼କୁ ନିୟନ୍ତ୍ରଣ କରୁଛି ।
