ବୈପାରୀଗୁଡା, (ସତ୍ୟପାଠବ୍ୟୁରୋ): କୁଢ଼ କୁଢ଼ ଆକାରରେ ପଡ଼ି ରହିଛି ଓଆରଏସ ପ୍ୟାକେଟ। କାହାରିକୁ ଦିଆଯାଉ ନାହିଁ କି କୌଣସି ପଦକ୍ଷେପ ବି ନିଆଯାଉନି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସାମାଜିକ ସୁରକ୍ଷା ଅଧିକାରୀଙ୍କ କକ୍ଷରେ ୫ ମାସ ହେଲା ଗଦା ହୋଇ ପଡ଼ି ରହିଛି ଓଆରଏସ ପ୍ୟାକେଟ। ଖବର ନେବାରୁ ଜଣାପଡ଼ିଛି, ଗ୍ରୀଷ୍ମ ସମୟରେ ଡହ ଡହ ଖରାରେ ହିତାଧିକାରୀଙ୍କୁ ଦେବା ପାଇଁ ଏହି ଓଆରଏସ ଆସିଥିଲା। ହେଲେ ଏଗୁଡ଼ିକ ବଣ୍ଟନ କରା ନଯାଇ ଏଭଳି ପଡ଼ିରହିଛି। ଏସବୁ ଓଆରଏସ ପ୍ୟାକେଟ ପଞ୍ଚାୟତ ଅଫିସକୁ ଯିବାର ଥିଲା। ହେଲେ ବ୍ଲକ ଅଫିସରେ ପଡ଼ି ପଡ଼ି ନଷ୍ଟ ହେଉଥିବା ଦେଖାଯାଇଛି। ପଞ୍ଚାୟତସ୍ତରରେ ପେନସନ ବଣ୍ଟନ ସମୟରେ ବୃଦ୍ଧବୃଦ୍ଧା ଓ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳରେ ଓଆରଏସ ବଣ୍ଟନ କରିବା ଉଦ୍ଦେଶ୍ୟରେ ମଗା ଯାଇଥିବା କୁହାଯାଉଛି। ତେବେ ଏହା ହିତାଧିକାରୀଙ୍କୁ ଦିଆଯାଇ ନଥିବାବେଳେ ଦୀର୍ଘ ସମୟ ଧରି ଏହା ବ୍ଲକ କାର୍ଯ୍ୟାଳୟରେ ରହିଥିବାରୁ ଏହାର ବ୍ୟବହାର ଓ ବଣ୍ଟନକୁ ନେଇ ପ୍ରଶ୍ନ ଉଠିଛି।ଏ ସମ୍ପର୍କରେ ବିଡିଓ ସୁବ୍ରତ କୁମାର ସାହୁଙ୍କୁ ପଚାରିବାରୁ କେବେ ଓଆରଏସ ଆସିଥିଲା, କେଉଁ ଯୋଜନା କିମ୍ବା ଉଦ୍ଦେଶ୍ୟରେ ଆସିଥିଲା ଏ ସମ୍ପର୍କରେ ସ୍ପଷ୍ଟ ଉତ୍ତର ମିଳି ନଥିଲା। କେବଳ “ଷ୍ଟକ୍‌ରେ ରଖାଯାଇଛି, ପରେ ବ୍ୟବହାର କରାଯିବ” ବୋଲି କୁହାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ, ଗ୍ରୀଷ୍ମ ଋତୁରେ ବୃଦ୍ଧ ଓ ଅନ୍ୟାନ୍ୟ ପେନସନ ହିତାଧିକାରୀମାନେ ଡିହାଇଡ୍ରେସନ୍‌ର ସମ୍ମୁଖୀନ ହେଉଥିବାବେଳେ ଆବଶ୍ୟକ ସମୟରେ ଓଆରଏସ ବଣ୍ଟନ ନହୋଇ ବ୍ଲକ କାର୍ଯ୍ୟାଳୟରେ ବିପୁଳ ପରିମାଣର ଓଆରଏସ ମହଜୁଦ ରହିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସୁଦଶା ନାୟକଙ୍କୁ ପଚାରିବାରୁ ଗ୍ରୀଷ୍ମ ଦିନରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଓଆରଏସ ମଗା ଯାଇଥିଲା ଭତ୍ତା ବଣ୍ଟନ ସମୟରେ ବୃଦ୍ଧ ବୃଦ୍ଧା ମାନଂକୁ ଦେବା ପାଇଁ ଏବଂ ଆମେ ବ୍ଲକକୁ ଯୋଗାଇ ଥିଲୁ । ତେବେ ବଣ୍ଟନ କରାଯାଇଛି କି ନାହିଁ ଆମ ପାଖରେ ଖବର ନାହିଁ l ତେବେ କୌଣସି ପଂଚାୟତରେ ପହଁଚି ନାହିଁ କି କାହାକୁ ବଣ୍ଟନ ମଧ୍ୟ ହୋଇନି, କେବଳ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜମା ହୋଇ ନଷ୍ଟ ହେବାକୁ ବସିଲାଣି l ଲୋକଙ୍କୁ ବଣ୍ଟନ ନ କରି ରଖିବାର ଉଦ୍ଦେଶ୍ୟ କଣ- ତାହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି l