ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଦିଲ୍ଲୀ ବିମାନବନ୍ଦରରୁ ତିନିଜଣ ଭାରତୀୟ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କାର ଚୀନ୍ ନିର୍ମିତ ୧୦ଟି ସାମରିକ ଡ୍ରୋନ୍ ଜବତ କରାଯାଇଛି। ଏହି ତିନି ଯାତ୍ରୀ ଗତ ୨୫ ତାରିଖରେ ହଂକଂରୁ ଭିଏତ୍ନାମ ଦେଇ ଦିଲ୍ଲୀ ଟର୍ମିନାଲ୍-୩ରେ ପହଞ୍ଚି ଥିଲେ। ଗୁପ୍ତ ସୂଚନା ଆଧାରରେ ଗ୍ରୀନ୍ ଚ୍ୟାନେଲ୍ ଅତିକ୍ରମ କରୁଥିବା ସମୟରେ ସେମାନଙ୍କୁ ସୀମାଶୁଳ୍କ ଅଧିକାରୀ ଧରି ନେଇଥିଲେ। ଏହି ଯାତ୍ରୀଙ୍କ ବ୍ୟାଗରୁ ଚୀନ୍ କମ୍ପାନୀ ‘ଅଟେଲ୍ ରୋବୋଟିକ୍ସ’ର ୧୦ଟି ଏମଡିଏକ୍ସ-୧ ଡ୍ରୋନ୍, ୧୧ଟି କଣ୍ଟ୍ରୋଲର୍, ୧୦ଟି କ୍ୟାମେରା ଗିମ୍ବଲ୍, ୬୦ଟି ପ୍ରୋପେଲର୍, ୨୦ଟି ଆଣ୍ଟିନା, ୪୦ଟି ଜଏଷ୍ଟିକ୍ ଓ ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ ଜବତ କରାଯାଇଛି। ଜଣେ ଯାତ୍ରୀ କହିଛନ୍ତି ଯେ ଜଣେ ବନ୍ଧୁଙ୍କ ପାଇଁ ସେ ଏହି ସବୁ ସାମଗ୍ରୀ ଆଣିଥିଲେ। ସୂଚନାଯୋଗ୍ୟ ଯେ ଭାରତରେ ବିଦେଶୀ ଡ୍ରୋନ୍ ଆମଦାନୀ ଉପରେ କଟକଣା ରହିଛି। ଜବତ ହୋଇଥିବା ଏହି ଡ୍ରୋନ ବିନା ଜିପିଏସରେ ଉଡ଼ିପାରିବ।
