ନବୀନଙ୍କ 5Tକୁ ଶକ୍ତ ଚାପୁଡ଼ା !

ସତ୍ୟପାଠ ବ୍ୟୁରୋ: ଝାରସୁଗୁଡାରେ ନବୀନ ବାବୁଙ୍କ 5Tକୁ ପୁଣି ଶକ୍ତ ଚାପୁଡ଼ା । କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ବିଜେଡ଼ି ଜିଲ୍ଲା ଉପସଭାପତି ଶମ୍ଭୁ ମହାନ୍ତିଙ୍କ ଦୁର୍ବ୍ୟବହାର ।  ଆଜିଠୁ ପୋଲିସ ବିଭାଗରେ ‘ମୋ ସରକାର’ ଜରିଆରେ 5ଟି କାର୍ଯ୍ୟକାରୀ ହେଉଥିବା ବେଳେ ଏଭଳି ଘଟଣା ଶାସକ ଦଳର ଅସଲ ଚେହେରାକୁ ପଦାରେ ପକାଇଛି ।  ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଶାସକ ଦଳର ନେତାମାନେ ଶାଳୀନତା ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ବିଜେଡି ନେତାମାନେ ସବୁ ଶାଳୀନତାକୁ ଭଙ୍ଗ କରି ନବୀନଙ୍କ ଖାଇବା ଓ ଦେଖାଇବା ଦାନ୍ତ ଅଲଗା ଅଲଗା ବୋଲି ଜଣାଇଦେଇଛନ୍ତି ।

ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବଦଳି ଧମକ ଦେଇଛନ୍ତି । ଗତ ସୋମବାର ରାତି ପ୍ରାୟ ୯ଟା ବେଳର ଘଟଣା । ବେଳପାହାଡ଼ ଫାଟକରେ ସ୍ଥାନୀୟ ପୋଲିସ ଟ୍ରାଫିକ ସଚେତନତା କରୁଥିଲେ । ଏହି ସମୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ।  ବିଧାୟକ ସିଟ୍‌ ବେଲ୍‌ଟ୍‌ ପିନ୍ଧି ନଥିବାରୁ ବେଲ୍‌ପାହାଡ଼ ଫାଟକରେ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ ତାଙ୍କ ଗାଡ଼ିକୁ ଅଟକାଇ ସିଟ୍‌ ବେଲ୍‌ଟ ବାନ୍ଧିବାକୁ କହିଥିଲେ । ପୋଲିସ ଅଧିକାରୀ ନୂଆ କରି ବେଳପହାଡ଼ ଥାନାରେ ଅବସ୍ଥାପିତ ହୋଇଥିବାରୁ ସେ ବିଧାୟକଙ୍କୁ ଚିହ୍ନି  ନଥିଲେ । ତେଣୁ ସେ ସୌଜନ୍ୟତାର ସହ ବିଧାୟକଙ୍କୁ ନମସ୍କାର କରି ନଥିଲେ । ଯାହାକୁ ନେଇ ବିଧାୟକ କିଶୋର ମହାନ୍ତିଙ୍କ ପାରା ଗରମ ହୋଇଯାଇଥିଲା । ସବୁ ଶାଳୀନତାର ସଜ୍ଞା ଭୁଲି ପୋଲିସ ବାବୁଙ୍କୁ ନାନା ପ୍ରକାର କଥା ଶୁଣାଇଥିଲେ  । ଏହା ପରେ ବଳିଯାଇଥିଲା ବିଧାୟକଙ୍କ ଅନୁଗତ ତଥା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ବ୍ୟବହାର ।ମାନ୍ୟବର ପୋଲିସ କର୍ମଚାରୀଙ୍କୁ ମନଇଚ୍ଛା ଅଶଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବଦଳି ଧମକ ଦେବାକୁ ମଧ୍ୟ ପଛାଇନଥିଲେ । ଧମକ ଦେବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ  ରାଜନୀତି ସରଗରମ । ବଜେପି ଏହାକୁ ସୋସିଆଲ ମିଡିଆରେ ଇସୁ କରି ଶାସକ ବିଜେଡି ନେତାଙ୍କ ଅହଂ ଭାବ ବଢ଼ିଯାଇଛି ତେଣୁ କର୍ତ୍ତବ୍ୟରତ ପୁଲିସକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛି ।  ଭିଡ଼ିଓ ଭାଇରାଲ ହେବ ପରେ ପୋଲିସ ଓ ସରକାର ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି । ସେପଟେ ମାମଲାକୁ ଥଣ୍ଡା କରିବା ଉଦ୍ୟମ ଆରମ୍ଭ ହୋଇଛି। ଗତକାଲି ରାତିରେ ବିଜେଡ଼ି ନେତା ଶମ୍ଭୁ ମହାନ୍ତି ଙ୍କ ନାଁରେ ବେଲପହାଡ଼ ଥାନାରେ ନାମକୁ ମାତ୍ର  ମାମଲା ରୁଜୁ ହୋଇଛି ।  ତାଙ୍କୁ ଥାନାରେ ଅଟକ ରଖାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

Related Posts