ନିଜର ପୁରୁଷ ବନ୍ଧୁଙ୍କୁ ବିବାହ କଲେ ଜାପାନର ରାଜକୁମାରୀ

ଟୋକିଓ: ଜାପାନର ରାଜକୁମାରୀ ମାକୋ ନିଜର ବିଶ୍ୱବିଦ୍ୟାଳୟ ସହପାଠୀ କି କୋମୁରୋଙ୍କୁ ବିବାହ କରିଛନ୍ତି । ତେବେ ରାଜ ପରମ୍ପରା ଅନୁଯାୟୀ ଜଣେ ସାଧାରଣ ନାଗରିକଙ୍କୁ ବିବାହ କରିଥିବାରୁ ମାକୋ ରାଜକୀୟ ମାନ୍ୟତା ହରାଇଛନ୍ତି । ଜାପାନର ସମ୍ରାଟ ନାରୁହିତୋଙ୍କର ୩୦ ବର୍ଷ ବୟସ୍କା ଝିଆରୀ ମାକୋ ଆମେରିକାର ଏକ ଆଇନ ସଂସ୍ଥା ଲୋୱେନଷ୍ଟେଇନ ସାଣ୍ଡଲରରେ କାର୍ଯ୍ୟ କରୁଛନ୍ତି । ତାଙ୍କ କମ୍ପାନୀରେ କାର୍ଯ୍ୟ କରୁଥିବା ତାଙ୍କ ସହପାଠୀ କି କୋମୁରୋଙ୍କୁ ସେ ବିବାହ କରିବାକୁ ସ୍ଥିର କରିବା ପରେ ରାଜ ପରିବାର ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏହା ରାଜ ପରମ୍ପରାର ପରିପନ୍ଥୀ ବୋଲି ତାଙ୍କୁ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା ।

କିନ୍ତୁ ମାକୋ ନିଜ ନିଷ୍ପତ୍ତିରେ ଅଟଳ ରହି କୋମୁରୋଙ୍କୁ ବିବାହ କରିବାରୁ ତାଙ୍କୁ ରାଜକୀୟ ମାନ୍ୟତା ଓ ମର୍ଯ୍ୟାଦା ହରାଇବାକୁ ପଡିଛି । ଏଣିକି ସେ ମଧ୍ୟ ଜଣେ ସାଧାରଣ ନାଗରିକ ଭାବରେ ବିବେଚିତ ହେବେ । ଜାପାନ ରାଜ ପରିବାରରେ ଝିଅ ବିବାହ ପରେ ଶ୍ୱଶୁର ଘରକୁ ଯିବା ସମୟରେ ତାଙ୍କୁ ବିପୁଳ ପରିମାଣର ଅର୍ଥ ଦିଆଯାଇଥାଏ । ମାକୋଙ୍କୁ ମଧ୍ୟ ତାଙ୍କ ପରିବାର ପକ୍ଷରୁ ପ୍ରାୟ ୧.୩୫ ନିୟୁତ ଡଲାର ଅର୍ଥ ଯଚାଯାଇଥିଲା, କିନ୍ତୁ ମାକୋ ଉକ୍ତ ଅର୍ଥ ନେବାକୁ ମନା କରିଦେଇଥିଲେ । ସେମାନଙ୍କର ବିବାହ ପଞ୍ଜିକରଣ ଆବେଦନ ଗ୍ରହଣ କରାଯାଇଛି ବୋଲି ଆକାସାକା ରାଜପ୍ରାସାଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜାପାନର ଅନେକ ନାଗରିକ ଏହି ବିବାହକୁ ସମର୍ଥନ କରୁଥିବା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ବିବାହକୁ ନେଇ ମାକୋ ଖୁସ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କହିଛନ୍ତି ।

Related Posts