ନିର୍ବାଚନ ସମୟରେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ରାଜ୍ୟର ବରିଷ୍ଠ ସାମ୍ବାଦିକ

ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ, ଅନେକ ସ୍ଥାନରେ ମତଦାନ ସମୟରେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ ଘଟଣା ସାମ୍ନା କୁ ଆସିଛି । ଯାହାକୁ ନେଇ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ରାଜ୍ୟର ବରିଷ୍ଠ ସାମ୍ବାଦିକ ।

ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ । ସନ୍ଧ୍ୟା ସୁଦ୍ଧା ଆକ୍ରମଣ କାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡ଼ା ଦଫା ଲଗାଇବାକୁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ ।


ଯାଜପୁର, ନୟାଗଡ଼ ଓ କଣାସରେ ପଞ୍ଚାୟତ ଭୋଟ ଗ୍ରହଣ ବେଳେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହାକୁ ନେଇ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି । ବାରମ୍ବାର ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ନିର୍ବାଚନ ପରିଚାଳନାରେ ଭାଗ ନେଉଥିବା ଅଧିକାରୀଙ୍କୁ ଆକ୍ରମଣବେଳେ ଯେଉଁ ଦଫା ଲଗାଯାଉଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ସମୟରେ ସେହିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି । କଡ଼ା ସୁରକ୍ଷାର ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକଗଣ । କଣାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ଜଣଙ୍କୁ ଗିରଫ କରଯାଇଥିବାରୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ସମସ୍ତ ସମ୍ପାଦକ । ସେପଟେ ରାଜ୍ୟ ନିର୍ବାଚନ କମିଶନ ସମ୍ପୃକ୍ତ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Related Posts