ଜମ୍ମୁ-କଶ୍ମୀରର ରେଆସି ଜିଲ୍ଲା ଅନ୍ତର୍ଗତ କାତ୍ରାରେ ଥିବା ବୈଷ୍ଣୋ ଦେବୀ ଭବନରେ ଅଘଟଣ । ଏହି ଅଘଟଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ଦଳାଚକଟା ଯୋଗୁ ଘଟିଥିବା ସୂଚନା ମିଳିଛି।
ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ମୃତକମାନେ ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ଜମ୍ମୁ-କଶ୍ମୀରର ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ନବବର୍ଷ ଉପଲକ୍ଷେ ଶହଶହ ଶ୍ରଦ୍ଧାଳୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ଼ କରି କାତ୍ରା ମାତା ବୈଷ୍ଣୋ ଦେବୀ ଭବନରେ ପ୍ରବେଶ କରିଥିଲେ। ଭବନ ଭିତରେ ପ୍ରବେଶ ପାଇଁ ଅନେକଙ୍କ ପାଖରେ ଅନୁମତି ରସିଦ ନଥିଲା। ତଥାପି ସେମାନେ ଠେଲାପେଲା କରି ଭବନରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୨.୪୫ରେ ଏହି ଠେଲାପେଲାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ମାରପିଟ୍ ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଇତି ମଧ୍ୟରେ କିଛି ଲୋକ ତଳେ ପଡ଼ିଯିବାରୁ ଦଳା ଚକଟା ଆରମ୍ଭ ହୋଇଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପୂର୍ବରୁ ୧୨ ଜଣ ପ୍ରାଣ ହରାଇ ସାରିଥିଲେ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା ଗୋପାଲ ଦତ୍ତ କହିଛନ୍ତି, ମୃତାହତମାନେ ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ଜଣେ ଜମ୍ମୁ-କଶ୍ମୀରର। ଆହତମାନଙ୍କୁ ମାତା ବୈଷ୍ଣୋଦେବୀ ନାରାୟଣ ସୁପରସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ଏହି ଦୁଃଖଦ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ହସ୍ପିଟାଲରେ ଆହତମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ସେ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି। ଏହି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ।
ସେହିପରି ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଟ୍ୱିଟ କରି ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି। ଏଥିସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ଧର୍ମ ପୀଠର ବୋର୍ଡ ପ୍ରଦାନ କରିବ। ଘଟଣା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି।
