ଜମ୍ମୁ କାଶ୍ମୀର ମେନ୍ଧର ସେକ୍ଟର ଏଲଓସିରେ ବଡ ଅଘଟଣ: ଗ୍ରେନେଡ ଫାଟିବାରୁ ଦୁଇ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ

ଶ୍ରୀନଗର: ଗ୍ରେନେଡ ଫାଟିବାରୁ ଦୁଇ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ। ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ଏଲଓସିରେ ଏହି ବଡ ଅଘଟଣ ଘଟିଛି । ଶତ୍ରୁ ପାଇଁ ସୀମାରେ ବିଛାଯାଇଥିବା ଗ୍ରେନେଡ ଦୁର୍ଭାଗ୍ୟବଶତଃ ଫାଟିବାରୁ ଦୁଇ ଜଣ ସେନା ଅଧିକାରୀ ଆଖି ବୁଜିଛନ୍ତି ।

ବ୍ଲାଷ୍ଟରେ କିଛି ଯବାନ ଆହତ ହୋଇଛନ୍ତି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି ।

ଆର୍ମି ଯବାନମାନେ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା । ରବିବାର ରାତିରେ ମେନ୍ଧର ସେକ୍ଟର ଏଲଓସିରେ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୬ ଜଣ ସୈନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମେନ୍ଧର ସେକ୍ଟରରୁ ଚିକିତ୍ସା ପାଇଁ ଉଦ୍ଧମପୁର ନିଆଯାଇଥିଲା । ଚିକିତ୍ସା ସମୟରେ ଜଣେ ସେନା ଅଫିସର ଓ ଜଣେ ଜେସିଓଙ୍କର ମୃତ୍ୟୁ ହୋଇଥିବା ସ୍ଥଳ ସେନାର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।

ଏଥିସହ ଏହି ଘଟଣା ରେ ଆହତ ହୋଇଥିବା ବାକି ୪ ଜଣ ଯବାନଙ୍କ ଚିକିତ୍ସା ଚାଲିଛି। ଘଟଣା ପରେ ସୀମାରେ ସତର୍କତା ଅବଲମ୍ବନ କରାଯାଇଛି । ସେହିପରି କେଉଁ ପରିସ୍ଥିତିରେ ଗ୍ରେନେଡ ବିସ୍ଫୋରଣ ହେଲା, ତା’ର ମଧ୍ୟ ତଦନ୍ତ କରାଯାଉଥିବା ମୁଖପାତ୍ର ସୂଚନା ଦେଇଛନ୍ତି ।

Related Posts