ପଂଜାବରେ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ କରିବେ ମତଦାତା । ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା । ୧୩୦୪ ଜଣ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୧୪ କୋଟି ଲୋକ । ଏଥିରେ ୯୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଇଲେକ୍ଟ୍ରୋନିକ ଭୋଟିଙ୍ଗ ମେସିନ (ଇଭିଏମ) ଜରିଆରେ ଅଧିକ ମତଦାତା ଭୋଟ ଦେଉଛନ୍ତି । ପଂଜାବରେ ସକାଳ ୮ଟାରୁ ମତଦାନ ହେଉଛି । ଏଥି ପାଇଁ ୨୪ ହଜାର ୭୪୦ ମତଦାନ କେନ୍ଦ୍ର କରାଯାଇଛି ।

ପଂଜାବରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ର ଉପରେ ପୋଲିସ ସହିତ କେନ୍ଦ୍ରୀୟ ବଳର ଯବାନମାନେ ମୁତୟନ ଅଛନ୍ତି । ପୋଲିଂ ବୁଥ ଆଖପାଖ ଅଞ୍ଚଳରେ ୧୪୪ଧାରା ଲାଗୁ କରିଦିଆଯାଇଛି ।

ସେହିପରି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ୩ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୫୯ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ମୋଟ ୬୨୭ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କୁ ୨.୧୫ କୋଟି ମତଦାତା ଭୋଟ ଦେବେ । ଆଜି ହାଥରସ, ଫିରୋଜାବାଦ, ଏଟା, କାସଗଂଜ, ମେନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରିୟା, କାନପୁର (ଗାମିଣ), କାନପୁର (ନଗର), ଜାଲୌନ, ଝାନସୀ, ଲଲିତପୁର-ହମୀରପୁର ଓ ମହୋବା ଆସନରେ ମତଦାନ ହେଉଛି ।