ପଞ୍ଚାୟତ ନିର୍ବାଚନ: ଆରମ୍ଭ ହୋଇଗଲା ପ୍ରଥମ ପର୍ଯ୍ୟାୟ ମତଦାନ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ | ଏନେଇ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ | ନିଜ ପସନ୍ଦର ଓ ନିଜ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ପଞ୍ଚାୟତ ମୁଖିଆ ବାଛିବେ ପଞ୍ଚାୟତବାସୀ | ନିଜର ବହୁ ମୂଲ୍ୟ ଭୋଟ ଦେବେ ଭୋଟର | ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରିବେ ମତଦାତା । ଆଜି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତରେ ଭୋଟଗ୍ରହଣ ହେବ । ମୋଟ ୬୭ ଲକ୍ଷ ୫୧ ହଜାର ମତଦାତା ମତସାବ୍ୟସ୍ତ କରିବେ । ୨୨, ୩୭୯ଟି ବୁଥରେ ଭୋଟିଂ କରାଯିବ । ନିର୍ବାଚନ ପାଇଁ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ହୋଇଛି ।

ଗତକାଲି(ମଙ୍ଗଳବାର) ରାତି ସୁଦ୍ଧା ବୁଥ୍‌ଗୁଡିକରେ ପୋଲିଂ ପାର୍ଟିମାନେ ପହଞ୍ଚି ସାରିଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ୨୨୫ ପ୍ଲାଟୁନ ଫୋର୍ସ ଏବଂ ୩୭,୨୪୫ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ବର୍ଷ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ମୋଟ ୨କୋଟି ୭୯ ଲକ୍ଷରୁ ଅଧିକ ଭୋଟର ଭୋଟ୍ ଦେବେ । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମୋଟ ୭୨୬ ପ୍ରାର୍ଥୀ ଦୌଡରେ ଅଛନ୍ତି ।ମତଦାତା ଭୋଟ୍ ପରିଚୟ ପତ୍ର ଦେଖାଇ ମତସାବ୍ୟସ୍ତ କରିପାରିବେ । ଯଦି କୌଣସି ଲୋକ ପାଖରେ ଭୋଟ ପରିଚୟ ପତ୍ର ନଥାଏ ତେବେ ସେ ପାନ କାର୍ଡ, ଆଧାର କାର୍ଡ, ପାସପୋର୍ଟ, ନରେଗା କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ଭୋଟ୍ ଦେଇପାରିବେ ।

ଭୋଟ୍ ପାଇଁ ବାଲାଟ୍‌ ପେପରର ବ୍ୟବସ୍ଥା ହୋଇଛି। ଗୋଟିଏ ଗୋଟିଏ ବୁଥ୍‌ରେ ୩ ଶହରୁ ୫ଶହ ଭିତରେ ଭୋଟର୍ ଭୋଟ୍‌ ଦେବାର ବ୍ୟବସ୍ଥା ହୋଇଛି। ଭୋଟର୍ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସରଙ୍କ ନିକଟରେ ଯାଞ୍ଚ କରାଉଛନ୍ତି। ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯାଉଛି। ତାଲିକାରେ ନାଁ ଯାଞ୍ଚ ପରେ ସେକେଣ୍ଡ ପୋଲିଂ ଅଫିସର୍ ପାଖକୁ ଯାଇ ବାଁ ହାତର ବିଶି ଅଙ୍ଗୁଳିରେ କାଳି ଲଗାଇ ସେଠାରୁ ୪ଟି ପଦବୀ ପାଇଁ ବାଲାଟ୍ ପେପର୍ ନେଇ ପୋଲିଂ ଚ୍ୟାମ୍ବରକୁ ଯାଉଛନ୍ତି। ସରପଂଚ ପଦବୀ ଲାଗି ଗୋଲାପୀ, ଓ୍ୱାର୍ଡ ମେମ୍ବର ଲାଗି ହଳଦିଆ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଜୋନ୍ ଲାଗି ଧଳା ରଙ୍ଗର ବାଲାଟ୍ ପେପର୍ ଦିଆଯାଉଛି। ଭୋଟର୍‌ ମାନେ ପୋଲିଂ ଚ୍ୟାମ୍ବରରେ ବାଲାଟ୍ ପେପର ଗୁଡ଼ିକରେ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ପରେ ସେଗୁଡ଼ିକୁ ନେଇ ଭୋଟ୍ ବାକ୍ସରେ ଭର୍ତ୍ତି କରୁଛନ୍ତି।

Related Posts