ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂତନ ରାଜନୈତିକ ଦଳ ‘ପଞ୍ଜାବ ଲୋକ କଂଗ୍ରେସ’କୁ ମିଳିଛି ନିର୍ବାଚନୀ ଚିହ୍ନ | ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ପ୍ରତୀକ ଭାବରେ ଏକ ‘ହକି ଷ୍ଟିକ୍ ଏବଂ ବଲ୍’ ଚିହ୍ନ ମିଳିଛି |
ତେବେ ନିର୍ବାଚନୀ ଚିହ୍ନ ପାଇବା ପରେ ଦଳ ଖୁସି ବ୍ୟକ୍ତ କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।ଗତ ସପ୍ତାହରେ ନିର୍ବାଚନ ଆୟୋଗ ୫ଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ଫେବୃଆରୀ 10 ରୁ ମାର୍ଚ୍ଚ 7 ତାରିଖ ମଧ୍ୟରେ ମୋଟ 7 ଟି ପର୍ଯ୍ୟାୟରେ ଏହି ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ପଞ୍ଜାବରେ ଫେବୃଆରୀ 14 ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡି ନୂତନ ରାଜନୈତିକ ଦଳ ମାଧ୍ୟମରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ଆଜି ନିର୍ବାଚନୀ ଚିହ୍ନ ପାଇବା ପରେ ଦଳ ଉତ୍ସାହ ପ୍ରକାଶ କରିବା ସହ ନିର୍ବାଚନୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବାକୁ ସଙ୍କେତ ଦେଇଛି ।
