ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର। ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଚିଠି ଲେଖିଛନ୍ତି।

ନଭେମ୍ବର ୧୪ ତାରିଖରେ ଲେଖିଥିବା ଏହି ଚିଠିରେ ଡଃ ପାତ୍ର ଦର୍ଶାଇଛନ୍ତି ଯେ, ଓଡ଼ିଶା ହାଇକୋର୍ଟରେ ମୋଟ ୩୩ଟି ବିଚାରପତି ପଦବୀ ମଞ୍ଜୁର ହୋଇଥିବାବେଳେ ନଭେମ୍ବର ୧୫ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ଅବସର ପରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମାତ୍ର ୧୩କୁ ଖସିଆସିବ। ଫଳରେ ୨୦ଟି ପଦବୀ ଖାଲି ପଡ଼ିବ, ଯାହା ମୋଟ ମଞ୍ଜୁରୀପ୍ରାପ୍ତ ପଦବୀର ପ୍ରାୟ ୬୦.୬ ପ୍ରତିଶତ।

ଚିଠିରେ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଦେଶର ସମସ୍ତ ହାଇକୋର୍ଟରେ ବିଚାରପତି ପଦବୀ ଖାଲି ରହିବାର ଜାତୀୟ ହାର ପ୍ରାୟ ୨୬ ପ୍ରତିଶତ ଥିବାବେଳେ ଓଡ଼ିଶା ହାଇକୋର୍ଟର ସ୍ଥିତି ତାହାଠାରୁ ଯଥେଷ୍ଟ ଅଧିକ ଗମ୍ଭୀର।

ଡଃ ପାତ୍ରଙ୍କ ଅନୁସାରେ, ୨୦୨୫ ଡିସେମ୍ବରରେ ଓଡ଼ିଶା ହାଇକୋର୍ଟରେ ୨୦ ଜଣ ବିଚାରପତି କାର୍ଯ୍ୟରତ ଥିଲେ। ୨୦୨୫ରେ କିଛି ବିଚାରପତିଙ୍କ ବଦଳି ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସର ଓ ବଦଳି ଯୋଗୁଁ ବିଚାରପତିଙ୍କ ସଂଖ୍ୟା କମି କମି ୧୩ରେ ପହଞ୍ଚିଛି। ତେଣୁ ହାଇକୋର୍ଟର ସାମ୍ବିଧାନିକ ଓ ନ୍ୟାୟିକ କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଛି ହାଇକୋର୍ଟରେ ବିଚାରାଧୀନ ମାମଲାର ବିପୁଳ ସଂଖ୍ୟା ଯୋଗୁଁ। ଡଃ ପାତ୍ର ଚିଠିରେ ଦର୍ଶାଇଛନ୍ତି ଯେ, ୨୦୨୬ ଅଗଷ୍ଟରେ ସଂସଦକୁ ଦିଆଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶା ହାଇକୋର୍ଟରେ ମୋଟ ୧ ଲକ୍ଷ ୭୦ ହଜାର ୩୪୬ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ୩୮ ହଜାର ୯୩୬ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି। ଏହି ତଥ୍ୟ ୭ ଅଗଷ୍ଟ ୨୦୨୬ରେ ଲୋକସଭାରେ ଉତ୍ତରିତ ଅଣତାରକା ପ୍ରଶ୍ନ ନମ୍ବର ୩୩୭୧ର ଉତ୍ତରରୁ ନିଆଯାଇଛି।

ତେଣୁ ଖାଲି ପଡ଼ିଥିବା ବିଚାରପତି ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଡଃ ସସ୍ମିତ ପାତ୍ର କେନ୍ଦ୍ର ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଉପଯୁକ୍ତ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ଏକ ସମନ୍ୱିତ ଓ ସମୟବଦ୍ଧ ପ୍ରକ୍ରିୟାରେ ନିଯୁକ୍ତି ସମ୍ପନ୍ନ କରିବାକୁ ସେ ଅନୁରୋଧ କରିଛନ୍ତି।

ଓଡ଼ିଶା ହାଇକୋର୍ଟରେ ଏତେ ସଂଖ୍ୟକ ବିଚାରପତି ପଦବୀ ଖାଲି ରହିବା ଏବଂ ହଜାର ହଜାର ମାମଲା ଦୀର୍ଘବର୍ଷ ଧରି ବିଚାର ଅପେକ୍ଷାରେ ରହିବା ନ୍ୟାୟ ପ୍ରଦାନ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ୱାନ। ଏବେ କେନ୍ଦ୍ର ସରକାର ଏହି ଦାବି ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।