ବିଶ୍ୱଗୁରୁ ଭାରତ! କିନ୍ତୁ ଭାରତରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀକୁ ଆସିପାରିଲେ ନାହିଁ ୧୧୫ ଜଣ ବିଦେଶୀ ବକ୍ତା! ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ହାଇଦ୍ରାବାଦରେ ନଭେମ୍ବର ୧୩ ଓ ୧୪ ତାରିଖରେ ଆୟୋଜିତ ଭାରତ ସମ୍ମିଳନୀକୁ ନେଇ ଏବେ ବଡ଼ ବିବାଦ।
ଥରୁରଙ୍କ ଅଭିଯୋଗ ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟର ଅନୁମତି ପାଇଥିବା ୩୧୫ ଜଣ ବକ୍ତାଙ୍କ ମଧ୍ୟରୁ ୧୧୫ ଜଣଙ୍କୁ ଭାରତ ପ୍ରବେଶ ଅନୁମତି ମିଳିନଥିଲା କିମ୍ବା ସେମାନଙ୍କ ଭିସା ବାତିଲ ହୋଇଥିଲା।
ଏହା ପଛରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଭିସା ପ୍ରଦାନ ଓ ପ୍ରବେଶ ଅନୁମତି ଭାରତ ସରକାରଙ୍କ ସାର୍ବଭୌମ ଅଧିକାର।
କିନ୍ତୁ ଏଠାରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି।
ଯଦି ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇଥିଲା, ତେବେ ପରେ କାହିଁକି ଭିସା ବାତିଲ ହେଲା?
ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ ସୁରକ୍ଷା କାରଣ ଥିଲା କି?
ନା କଂଗ୍ରେସ ଶାସିତ ତେଲଙ୍ଗାନା ସରକାରଙ୍କ ଆୟୋଜିତ ସମ୍ମିଳନୀ ହୋଇଥିବାରୁ ରାଜନୈତିକ ବିବାଦ ସୃଷ୍ଟି ହୋଇଛି?
ସମ୍ମିଳନୀରେ ଗଣତନ୍ତ୍ର, ଜଳବାୟୁ ପରିବର୍ତ୍ତନ, ସାମାଜିକ ନ୍ୟାୟ ଓ ଗଣମାଧ୍ୟମର ସ୍ୱାଧୀନତା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା।
ଏବେ ପ୍ରଶ୍ନ ହେଉଛି, ଭାରତ ସରକାର ଏହି ଭିସା ନିଷ୍ପତ୍ତିର କାରଣ ସ୍ପଷ୍ଟ କରିବେ କି?
ସତ୍ୟପାଠର ପ୍ରଶ୍ନ— ବିଶ୍ୱକୁ ଗଣତନ୍ତ୍ରର ବାର୍ତ୍ତା ଦେଉଥିବା ଭାରତରେ ମତବିନିମୟ ପାଇଁ ଏତେ ବଡ଼ ବିବାଦ କାହିଁକି?
