ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ପାକିସ୍ତାନ କରାଚୀରେ ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ତାଲିବାନ ସହ ଯୋଡି ହୋଇଥିବା ଜମାତ-ଉଲ-ଆହରାର ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି । ସୂଚନା ଅନୁଯାୟୀ, ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ସିନ୍ଧ ରେଞ୍ଜର୍ସର ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି । ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ଗାଡ଼ିରେ ଆସି ମୁଖ୍ୟ ଫାଟକ ଭାଙ୍ଗି କମ୍ପ୍ଲେକ୍ସରେ ପ୍ରବେଶ କରିଥିଲେ। ତା’ପରେ ସେମାନେ ହ୍ୟାଣ୍ଡ୍ ଗ୍ରେନେଡ୍ ଫିଙ୍ଗିବା ସହ ଅଖିବୁଜା ଗୁଳି ଚଳାଇଥିଲେ । ୯୦ ମିନିଟ୍ ଧରି ଏନକାଉଣ୍ଟର ଚାଲିଥିଲା । ପାକିସ୍ତାନର ସ୍ପେଶାଲ୍ ସିକ୍ୟୁରିଟି ୟୁନିଟ୍ , ଆଣ୍ଟି-ଟେରୋରିଷ୍ଟ ଫୋର୍ସ ଏବଂ ରେଞ୍ଜର୍ସ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଆକ୍ରମଣକାରୀମାନେ ତେହରିକ-ଏ-ତାଲିବାନ ପାକିସ୍ତାନର ଏକ ଗୋଷ୍ଠୀ ଜମାତ-ଉଲ-ଆହରର ସହିତ ଜଡିତ ବୋଲି ଜଣାପଡିଛି । ଏହି ଆକ୍ରମଣ ଏକ ରେଞ୍ଜର୍ସ କମ୍ପାଉଣ୍ଡକୁ ଟାର୍ଗେଟ୍ କରାଯାଇଥିଲା । ବିସ୍ଫୋରଣ ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆଖିବୁଜା ଫାୟାରିଂ ଆରମ୍ଭ କରିଥିଲେ ।ଏହାପରେ ସଂପୃକ୍ତ ଅଞ୍ଚଳରେ ଭୀଷଣ ଗୁଳି ବିନିମୟ ହୋଇଥିଲା। ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରି ଦିଆଯାଇଛି। ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଛି।