ପୁରୀ, (ସତ୍ୟପାଠ ବ୍ୟୁରୋ): ପୁରୀ କଣାସର ମନ୍ଦାରବସ୍ଥ ଅଞ୍ଚଳରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା କଣାସ ପୋଲିସ। ଅଭିଯୁକ୍ତମାନେ ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳର ରାଜ କିଶୋର ସାହୁ, ସୁରେଶ ସାହୁ ଓ କେନ୍ଦ୍ରାପଡ଼ା ଅଞ୍ଚଳର ସତ୍ୟବ୍ରତ ମଲ୍ଲିକ। ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ, ହତ୍ୟାରେ ବ୍ୟବହୃତ ଛୁରୀ, ଗୋଟିଏ ବାଇକ ଜବତ ହୋଇଛି। ମୃତକ ହେଉଛନ୍ତି ମନ୍ଦାରବସ୍ଥ ଅଞ୍ଚଳର ପର୍ଶୁରାମ ପ୍ରଧାନ। ସୂଚନାଯୋଗ୍ୟ ଯେ, ମୃତ ପର୍ଶୁରାମ ପ୍ରଧାନ ଗାଁ ମୁଣ୍ଡରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହୁଥିବାବେଳେ ଘରେ ଦେବୀ ମନ୍ଦିର କରି ପୂଜାର୍ଚ୍ଚନା କରୁଥିଲେ। ଏହାସହ ସେ ଘରେ ସାଧନା କରି ଘରଙ୍କ ସମସ୍ୟା ସମାଧାନ କଥା କହି ଲୋକଙ୍କଠାରୁ ଟଙ୍କା ନେଉଥିଲେ। ଗତ ୧୨ ତାରିଖ ଦିନ ପର୍ଶୁରାମଙ୍କ ଫୋନ ବନ୍ଦ ଥିବାରୁ ୧୩ ତାରିଖ ଦିନ ସ୍ତ୍ରୀ ଘରେ ଆସି ଦେଖିବାବେଳେ ସ୍ବାମୀ ପର୍ଶୁରାମଙ୍କ ଅଧା ପୋଡ଼ା ମରଶରୀର ଦେଖିବାକୁ ପାଇଥିଲେ। ଘରେ ବିଦ୍ୟୁତ ତାର ବିଛାଇ ହୋଇ ପଡ଼ିଥିବାରୁ ପ୍ରଥମେ ସ୍ତ୍ରୀ ଭାବିଲେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି ବୋଲି । ହେଲେ ହାତ, ଗୋଡ଼, ମୁହଁ ଓ ଖଟ ବନ୍ଧା ହୋଇଥିବାରୁ ତାଙ୍କର ସନ୍ଦେହ ହୋଇଥିଲା ।  ଏନେଇ ସେ କଣାସ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ଏକ ପ୍ରେମ ସମ୍ପର୍କ ଅଶାନ୍ତିକୁ ଦୂର କରିବା ପାଇଁ ଅଭିଯୁକ୍ତ  ରାଜ କିଶୋର ସାହୁ ପର୍ଶୁରାମଙ୍କ ପାଖକୁ ଆସିଥିଲେ। ଏନେଇ ସେ  ୨୩ ହଜାର ଟଙ୍କା ତାଙ୍କୁ ଦେଇଥିଲେ। ପୁଣି ଜମିରେ ସୁନା ମୂର୍ତ୍ତି ପୋତା ଯାଇଥିବା ଲୋଭ ଦେଖାଇ ରାଜକିଶୋରଙ୍କଠାରୁ ପାଖାପାଖି ୨ ଲକ୍ଷ ଟଙ୍କା ଠକି ନେଇଥିଲେ ପର୍ଶୁରାମ। ହେଲେ ରାଜ କିଶୋରଙ୍କ କୌଣସି କାମ ହୋଇ ନଥିବାରୁ ଟଙ୍କା ଫେରାଇବାକୁ କହିଥିଲେ। ତେବେ ପର୍ଶୁରାମ ଟଙ୍କା ନ ଫେରାଇବାରୁ ଉତକ୍ଷୀପ୍ତ ହୋଇ ରାଜ କିଶୋର ଓ ତାଙ୍କ ସହଯୋଗୀ ମାନେ  ଲଙ୍କା ଗୁଣ୍ଡ ,ପେଟ୍ରୋଲ ଓ ଛୁରି ଧରି  ପର୍ଶୁରାମଙ୍କ ଘରେ ପହଞ୍ଚିଥିଲେ।  ଯୁକ୍ତିତର୍କ ପରେ ପେଟରେ ଛୁରି ଭୁସୁ ମାରିବା ସହ ହାତ ଗୋଡ଼ ବାନ୍ଧି  ଜୀଅନ୍ତା ପୋଡ଼ି  ହତ୍ୟା କରିଥିଲେ। ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ଗ୍ୟାସ  ସିଲିଣ୍ଡର ଫଟାଇବା ପାଇଁ ଚେଷ୍ଟା କରିଥିବା ଜଣାପଡ଼ିଛି। ତେବେ ସିନ ରି-କ୍ରିଏସନ୍ ବେଳେ ସବୁ ସତ ମାନି ନେଇଛି ମୁଖ୍ୟ ଅଭିଯୁକ୍ତ। ପୁରୀ ଏସପିଙ୍କ ନେତୃତ୍ବରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣା ତଦନ୍ତ କରାଯାଉଛି। ଘଟଣାସ୍ଥଳରୁ ମିଳିଥିବା ଚପଲରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ସୁରାକ ମିଳିଥିଲା ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ।