ଫେରାର ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣ କଲେ ସ୍ଵାମୀ

ସୋସିଆଲ ମିଡିଆରେ ଫେରାର ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ସ୍ୱାମୀର ନିବେଦନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଵାମୀ ହାଇଦ୍ରାବାଦରେ କାମ କରୁଥିବା ବେଳେ ପଶ୍ଚିମବଙ୍ଗରେ ଥିବା ତାଙ୍କ ସ୍ତ୍ରୀ ନିଜ ସନ୍ତାନକୁ ଧରି ଫେରାର ହୋଇଯାଇଛି। ବିଚରା ସ୍ଵାମୀ ଏବେ କିଛି ଉପାୟ ନ ପାଇ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି ଯେ ଯିଏ ତାଙ୍କ ସ୍ତ୍ରୀ ଓ ସନ୍ତାନକୁ ଫେରାଇ ଆଣିବାରେ ସାହାଯ୍ୟ କରିବ ତାକୁ ସେ ୫ ହଜାର ଟଙ୍କା ପୁରସ୍କାର ଦେବ। ଏହି ଘଟଣା ପଶ୍ଚିମବଙ୍ଗର ପିଙ୍ଗଲା ଗ୍ରାମରେ ଘଟିଛି ।

ମିଡିଆ ରିପୋର୍ଟ ଅନୁସାରେ, ପେଶାରେ କାଠ କାରିଗର ଥିବା ସ୍ଵାମୀ ଜଣକ ବିଭିନ୍ନ ସ୍ଥାନ ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ସୋସିଆଲ ମିଡିଆରେ ବ୍ୟାକୁଳ ହୋଇ ନିବେଦନ କରିଛନ୍ତି । ସେ ଫେସବୁକରେ ଲେଖିଛନ୍ତି, ‘‘ଏହି ମହିଳା ଓ ଛୋଟ ପିଲା ଡିସେମ୍ବର ୯ ତାରିଖରୁ ନିଖୋଜ ଅଛନ୍ତି। ଯିଏ ବି ସେମାନଙ୍କୁ ଦେଖିବ ମୋତେ ଖବର ଦେବ। ଯିଏ ସେମାନଙ୍କୁ ପାଇବ ତାଙ୍କୁ ୫ ହଜାର ଚଙ୍କା ପୁରସ୍କାର ଦିଆଯିବ।” କିନ୍ତୁ ସୋସିଆଲ ମିଡିଆରୁ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳିପାରି ନାହିଁ ଏବଂ ତାଙ୍କ ସ୍ତ୍ରୀ ଓ ପିଲା ନିଖୋଜ ଅଛନ୍ତି। ସେ ଡିସେମ୍ବର ୯ ତାରିଖ ଦିନ ହାଇଦ୍ରାବାଦରେ ଥିବାବେଳେ ଏ ବିଷୟରେ ଜଣାଇଥିଲେ । ତା ପରଦିନ ସେ ସ୍ତ୍ରୀଙ୍କୁ ଖୋଜିବାକୁ ବାହାରି ପଡିଥିଲେ ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ତାଙ୍କୁ ଏହି ଘଟଣା ବିଷୟରେ ପରିବାର ଦ୍ଵାରା ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ସ୍ଵାମୀ କହିଛନ୍ତି ପୁଲିସଙ୍କୁ ଏବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି ।ତେବେ ଯଦିଓ ଏହି ଘଟଣାର ସବିଶେଷ ତଥ୍ୟ ସ୍ପଷ୍ଟ ହୋଇନାହିଁ, ସ୍ଵାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ କାରରେ ଆସିଥିବା ଜଣେ ଲୋକ ସହ ପଳେଇଛନ୍ତି ଯିଏ କି ତାଙ୍କ ସ୍ତ୍ରୀଙ୍କୁ ଏକ ଫୋନ ବି ଦେଇଥିଲା । ସେ ଏହା ବି କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଚତୁରତାର ସହ ରାତିରେ ସେହି ଲୋକ ସହ ଫୋନରେ କଥା ହେଉଥିଲେ। ସେ କହିଛନ୍ତି ଡିସେମ୍ବର ୯ ତାରିଖ ଏକ ବିନା ନମ୍ବର ବିଶିଷ୍ଟ ନାନୋ କାର୍ ତାଙ୍କ ଅଞ୍ଚଳକୁ ଆସିଥିଲା ଓ ସେ ଏହି କାରରେ ପଳେଇ ଯାଇଥାଇପାରନ୍ତି ।

Related Posts