ସମ୍ବଲପୁର (ସତ୍ୟପାଠ ବ୍ୟୁରୋ): ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଅବ୍ୟାହତ ରହିଛି। ଫଳରେ ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୩.୫୦ ଫୁଟ୍‌ରେ ପହଞ୍ଚିଛି, ଯାହା ପୂର୍ବ ସୂଚନା ତୁଳନାରେ ବୃଦ୍ଧି ପାଇଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧, ୨୩, ୧୦୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୯୫,୦୨୫ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଖୋଲା ଥିବା ୪ଟି ସ୍ଲୁଇସ୍‌ ଗେଟ୍‌ (ବାମ ପାର୍ଶ୍ୱରେ ୩ଟି ଓ ଡାହାଣ ପାର୍ଶ୍ୱରେ ୧ଟି) ସହିତ ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲିବାକୁ ହୀରାକୁଦ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପରେ ମୋଟ ୮ଟି ସ୍ଲୁଇସ୍‌ ଗେଟ୍‌ (ବାମ ପାର୍ଶ୍ୱରେ ୫ଟି ଓ ଡାହାଣ ପାର୍ଶ୍ୱରେ ୩ଟି) ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯିବ।ବର୍ତ୍ତମାନ ସ୍ପିଲ୍‌ୱେ ମାଧ୍ୟମରେ ୬୦,୫୮୮ କ୍ୟୁସେକ୍, ପାୱାର ଚ୍ୟାନେଲ ଦେଇ ୩୦,୭୮୭ କ୍ୟୁସେକ୍, ଶିଳ୍ପାଞ୍ଚଳକୁ ୨୪୭ କ୍ୟୁସେକ୍ ଏବଂ ବିଭିନ୍ନ କେନାଲକୁ ୩,୪୦୩ କ୍ୟୁସେକ୍ ଜଳ ଛଡ଼ାଯାଉଛି। ବରଗଡ଼ ମୁଖ୍ୟ କେନାଲକୁ ୨,୭୨୨ କ୍ୟୁସେକ୍, ସମ୍ବଲପୁର ମୁଖ୍ୟ କେନାଲକୁ ୬୦୦ କ୍ୟୁସେକ୍ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀକୁ ୮୧ କ୍ୟୁସେକ୍ ଜଳ ଯୋଗାଣ କରାଯାଉଛି। ତଳମୁଣ୍ଡର ବିଭିନ୍ନ ଗେଜ୍‌ ଷ୍ଟେସନରେ ମଧ୍ୟ ଜଳପ୍ରବାହ ଉଚ୍ଚ ସ୍ତରରେ ରହିଛି। ଖଇରମାଳରେ ୧,୫୦,୦୦୦ କ୍ୟୁସେକ୍, ବରମୂଳରେ ୧,୩୫,୭୫୦ କ୍ୟୁସେକ୍ ଏବଂ ମୁଣ୍ଡଳୀରେ ୧,୪୬,୫୪୮ କ୍ୟୁସେକ୍ ଜଳପ୍ରବାହ ରେକର୍ଡ କରାଯାଇଛି। ପାଥରଲା ଓ ଖଇରମାଳ ଅଞ୍ଚଳରେ ବର୍ଷା ମଧ୍ୟ ରେକର୍ଡ ହୋଇଛି।ଜଳଭଣ୍ଡାରକୁ ଆସୁଥିବା ପ୍ରବଳ ଜଳପ୍ରବାହକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ରହିବା ସହ ନଦୀକୂଳକୁ ନ ଯିବା ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।