ବରଗଡ ଜିଲ୍ଲା ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ: ମତଦାନ ବନ୍ଦ

ବରଗଡ଼ ଜିଲ୍ଲା ଗୋବିନ୍ଦପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଦୁଖଦ ଖବର | ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ବାଲ୍ମୀକି ପ୍ରଧାନଙ୍କ ମୃତ୍ୟୁ ଘଟିଛି | ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ତେବେ ତାଙ୍କ ମୃତ୍ୟୁ ଖବର କୁ ନେଇ ଅଂଚଳରେ ଦୁଃଖର ଲହରୀ ଖେଳି ଯାଇଛି | ଏଥିସହ ପ୍ରାର୍ଥୀଙ୍କ ମୃତ୍ୟୁକୁ ନେଇ ୨୪ରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ଲାଗି ଭୋଟ ଗ୍ରହଣ ବନ୍ଦ ହୋଇଛି | ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି |

ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପ୍ରାର୍ଥୀ ବାଲ୍ମୀକି ପ୍ରଧାନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଆଜି ତାଙ୍କର ମୃତଦେହ ଗୋବିନ୍ଦପୁର ଗ୍ରାମକୁ ଆଣାଯିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ବାଲ୍ମୀକି ପ୍ରଧାନ ଯିଏକି ସୂର୍ଯ୍ୟ ଚିହ୍ନରେ ପଞ୍ଚାୟତ ନିର୍ବାଚନରେ ଛିଡ଼ା ହୋଇଥିଲେ ।ବରଗଡ଼ ଜିଲ୍ଲା ଭଟଲି ବ୍ଲକ କେଲେଣ୍ଡାପାଳି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟ ଦୁଇଦିନ ତଳେ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ପଞ୍ଚାୟତ ନିର୍ବାଚନରେ ଉଭୟ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ମତଦାନ ପ୍ରକ୍ରିୟା ବାତିଲ ହୋଇଛି । ସେହିପରି କଟକ ଜିଲ୍ଲା ସଦର ଯଶପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀଙ୍କ ମୃତ୍ୟୁ ହୋଇଛି । ଏହି ସ୍ଥାନରେ ପରବର୍ତ୍ତୀ ସମୟରେ ସାନି ମତଦାନ ଅନୁଷ୍ଠିତ ହେବ |

Related Posts