ବ୍ରହ୍ମଗିରିରେ ନିର୍ବାଚନୀ ହିଂସା; ଭୋଟ ଦେବାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ଆରମ୍ଭ ହୋଇଯାଇଛି । ଭୋଟ ଦେବା ପାଇଁ ପୋଲିଂ ବୁଥମାନଙ୍କରେ ଭୋଟରମାନଙ୍କର ଲମ୍ବା ଧାଡ଼ି ମଧ୍ୟ ଦେଖିବାକୁ ମିଳିଛି । ଭୋଟରମାନେ ନିଜର ପସନ୍ଦ ମୁତାବତ ଭୋଟ ଦେବା ପାଇଁ ଆସୁଛନ୍ତି । ଏହା ମଧ୍ୟରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରହାଡମଲ ପଞ୍ଚାୟତ ନିଶୀମହର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ତେବେ ସକାଳୁ ନିଶୀମହର ଗାଁସ୍ଥିତ ବୁଥ୍ରେ ମତଦାନ ଚାଲିଥିଲା। ସେଠାରେ ନିଜକୁ ବିଜେଡି କର୍ମୀ କୁହାଉଥିବା କିଛି ଯୁବକ ଛିଡ଼ା ହୋଇଥିଲେ। ଏଥିସହ ଭୋଟ ଦେବାକୁ ଆସୁଥିବା ଗ୍ରାମବାସୀଙ୍କୁ ବିଜେଡିରେ ଭୋଟ ଦେବାକୁ ଧମକାଉଥିଲେ।

ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ। ହେଲେ ଗ୍ରାମର କିଛି ଜଣ ବିଜେଡି କର୍ମୀଙ୍କ କଥାରେ ରାଜି ହୋଇ ନ ଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ବିଜେଡି କର୍ମୀମାନେ ଲୁଚାଇ ରଖିଥିବା ଶାବଳ, ଭୁଜାଲିରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ ପୁଲିସ୍ ଫୋର୍ସ ମୁତୟନ ହୋଇଛି । ରାଜନୈତିକ କଥାକୁ ନେଇ ଉଭୟ ଦଳ ମଧ୍ୟରେ ମାରପିଟ୍ ହୋଇ ସଂଘର୍ଷ ହୋଇଥିବା ଜଣାପଡ଼ିଥିଲା।

Related Posts