ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳାରେ ହଟହଟା ହେଲେ ପୋଲିଂ କର୍ମଚାରୀ

ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ପୋଲିଂ କର୍ମଚାରୀଙ୍କୁ ହେବାକୁ ପଡ଼ିଛି ହଇରାଣ। ସ୍କୁଲ ଆଗରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଅଟକି ରହିବାକୁ ପଡ଼ିଛି । ଶିକ୍ଷା ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ସ୍କୁଲ ଭିତରେ ପଶିବାକୁ ଅନୁମତି ଦେଇଛନ୍ତି ଗାଁ ଲୋକେ।

ପୁଇଁନ୍ତଳା ବ୍ଲକ୍‌ କୁରୁଲ ପଞ୍ଚାୟତ ଡୁମେରପାଲି ଗାଁରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ। ୨୦ ପିଲା ଥିବା ଦର୍ଶାଇ ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ୨୦୧୮ ମସିହାରେ ବନ୍ଦ କରିଦେଇଥିଲା। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍କୁଲ ଖୋଲିବା ପାଇଁ ବାରମ୍ୱାର ଦାବି କରୁଥିଲେ ଗାଁ ଲୋକ। ମାତ୍ର ପ୍ରଶାସନ ତିଳେ ମାତ୍ର ନଜର ଦେଉନଥିଲା। ଆସନ୍ତାକାଲି ପଞ୍ଚାୟତ ନିର୍ବାଚନରେ ମତଦାନ ଥିବାରୁ ଆଜି ଉକ୍ତ ସ୍କୁଲକୁ ଖୋଲିବା ପାଇଁ ଚେଷ୍ଟା କରିଥିଲା ପ୍ରଶାସନ। ଏପରିକି ପୋଲିଂ ବୁଥ୍‌ ସ୍କୁଲ ପାଖରେ ପହଞ୍ଚିଥିଲା। ହେଲେ ଗାଁ ଲୋକେ ସ୍କୁଲ ଖୋଲିବାକୁ ଅନୁମତି ଦେଇନଥିଲେ। ପୋଲିଂ କର୍ମଚାରୀଙ୍କୁ ସ୍କୁଲ ଭିତରକୁ ଛାଡ଼ି ନଥିଲେ। ଖବର ପାଇଁ ପଇଁନ୍ତଲା ତହସିଲଦାର, ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆଗେ ସ୍କୁଲ ଖୋଲ, ତା’ପରେ ପୋଲିଂ ବୁଥ୍‌ କର୍ମଚାରୀଙ୍କ ଭିତରକୁ ପଶିବାକୁ ଦେବୁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

ଖବର ପାଇଁ ସ୍କୁଲ ପାଖରେ ପହଞ୍ଚିଥିଲେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଲୋକନାଥ ସୁନା। ସେ ପ୍ରଥମେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଗାଁ ଲୋକେ ବୁଝିନଥିଲେ। ଶେଷରେ ସ୍କୁଲ ଖୋଲିବା ପାଇଁ ବିଇଓ ଶ୍ରୀ ସୁନା ପ୍ରତିଶ୍ରୁତି ଦେବା ପରେ ପୋଲିଂ କର୍ମଚାରୀଙ୍କୁ ସ୍କୁଲ ଭିତରେ ପଶିବାକୁ ଅନୁମତି ଦେଇଛନ୍ତି ଗାଁ ଲୋକେ।

Related Posts