ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା

ରାଜ୍ୟରେ ଶେଷ ହୋଇଚି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ୭୭.୨ ପ୍ରତିଶନ ମତଦାନ ହୋଇଛି । ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ ୪ଟି ଜିଲ୍ଲାର ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ସର୍ବାଧିକ ୧୧ଟି ବୁଥ୍‌ରେ ରି-ପୋଲ୍ ପାଇଁ ପ୍ରସ୍ତାବ ଆସିଛି। ପୁରୀ ଓ ଭଦ୍ରକରେ ୫ଟି ଲେଖାଏଁ ବୁଥ୍ ଏବଂ ଢେଙ୍କାନାଳରେ ୪ଟି ବୁଥ୍‌ରେ ରି-ପୋଲ୍ ପ୍ରସ୍ତାବ ଆସିଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ଏ ସଂପର୍କରେ ନିଷ୍ପତ୍ତି ନେବେ।

ନିର୍ବାଚନ କମିଶନରଙ୍କ ସଚିବ ଆହୁରି କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ଲକ ଗୁଡ଼ିକରେ ପୋଲିଂ ଅଫିସର ପହଞ୍ଚି ସାରିଛନ୍ତି। ନିର୍ବାଚନ ସମୟରେ ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୨୨୫ ପୁଲିସ ପ୍ଲାଟୁନ ନିୟୋଜିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଘଟିଥିବା ନିର୍ବାଚନୀ ହିଂସା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର ଡିଜିପିଙ୍କ ସହ ଆଲୋଚନା କରିଛନ୍ତି। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

Related Posts