ଜୟପୁର(ସତ୍ୟପାଠବ୍ୟୁରୋ): ବସ୍୍ ଓ ଟ୍ରକ ମଧ୍ୟରେ ଧକ୍କା ହେବା ପରେ ଗାଡ଼ିରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଭଳି ଦଃଖଦ ଘଟଣା ଘଟିଛି ରାଜସ୍ଥାନର ଦୌସା ଜିଲ୍ଲା ଦେଇ ଯାଇଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ। ବୁଧବାର ସକାଳୁ ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। କୋଲୱା ଥାନା ଅଞ୍ଚଳର ଦ୍ୱାରପୁରା ଗ୍ରାମ ନିକଟ ଏକ୍ସପ୍ରେସୱେରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା, ଯାହା ଫଳରେ ଦୁଇଟି ଗାଡ଼ି ମଧ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ରାଜପଥରେ ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ଟି କିଛି ମିନିଟ୍ ମଧ୍ୟରେ ନିଆଁ ପିଣ୍ଡୁଳା ହୋଇ ଯାଇଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଦୁର୍ଘଟଣା ଯୋଗୁ ନିଆଁରେ ପୋଡ଼ି ୮ ଜଣଙ୍କର ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ଅନେକ ଯାତ୍ରୀ ନିଆଁରେ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ୨୨ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି। ପ୍ରଶାସନ ଆଶଙ୍କା କରୁଛି ଯେ ମୃତ୍ୟୁ ସଂଖ୍ୟା ବଢ଼ିପାରେ। କାରଣ କିଛି ଯାତ୍ରୀ ଛୋଟ ପିଲା ଥିଲେ। ଅଧିକାରୀମାନେ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି କେଉଁ କାରଣରୁ ନିଆଁ ଲାଗିଥିଲା। କିନ୍ତୁ ଦୁର୍ଘଟଣା ଯୋଗୁଁ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି। ପୁଲିସ ଏବଂ କର୍ତ୍ତୃପକ୍ଷ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୃତକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ବସ୍ ଭିତରେ ଏବଂ ଘଟଣାସ୍ଥଳରେ ନିରନ୍ତର ସନ୍ଧାନ ଅଭିଯାନ ଚଳାଇଛନ୍ତି।
