ବାହାର ଲୋକଙ୍କୁ ଦିଆଯାଉଛି ନିଯୁକ୍ତି ଓ ଠିକାକାମ,ନିଜ ଜିଲ୍ଲାର ଯୁବକ, ଯୁବତୀ ଯାଉଛନ୍ତି ଦାଦନ: ସୁନ୍ଦରଗଡ଼

ସତ୍ୟପାଠ 24/12 ସୁନ୍ଦରଗଡ଼ : ଆମ ରାଜ୍ୟର ପଛୁଆ ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ଼ | ଏହି ଜିଲ୍ଲାର ବିକାଶ ଓ ଏଠାକାର ଅଧିବାସୀଙ୍କ ନିଯୁକ୍ତି ବା ରୋଜଗାର ପାଇଁ ଭିତ୍ତିଭୂମିର ଅଭାବ ନାହିଁ । ଗୋଟିଏପ‌ଟେ ହଜାର ହଜାର କୋଟିର କୋଇଲା, ଲୁହାପଥର, ମାଙ୍ଗାନିଜ ଖଣି, ଖାଦାନ ଓ ଶିଳ୍ପାନୁଷ୍ଠାନ। ଅନ୍ୟପଟେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡ୍‌ସି)ର କୋଟି କୋଟି ଟଙ୍କାର ସମ୍ପତ୍ତି। ଯାହାକି ଜିଲ୍ଲାର ଶିକ୍ଷିତ ତଥା ଖଣି ପ୍ରଭାବିତ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ବା ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ବିଡ଼ମ୍ବନା, ଏହି ସୁଯୋଗରୁ ସ୍ଥାନୀୟ ଯୁବବର୍ଗଙ୍କୁ ବଞ୍ଚିତ କରାଯାଇଛି। ଖଣି ଶିଳ୍ପ ହେଉ କି ବିକାଶମୂଳକ ପ୍ରକଳ୍ପ ବା ଯୋଜନା, ସବୁଠି ମାଡ଼ି ବସିଛନ୍ତି ବାହାର ରାଜ୍ୟ ଓ ବାହାର ଜିଲ୍ଲାର ଲୋ‌କ। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଦ୍ରୁତବିକାଶ ପାଇଁ ସ୍ଥାନୀୟ ପାଠୁଆଙ୍କ ଦକ୍ଷତା ନଥିବା ଦର୍ଶାଇ ସେମାନଙ୍କୁ ଦୂରେଇ ରଖାଯାଇଛି। ପ୍ରାଶାସନିକ କାରସାଦି ସହିତ ସ୍ଥାନୀୟ ନେତୃତ୍ବର ଉଦାସୀନତା କାରଣରୁ ଘରମୁହଁରେ କୋଟି କୋଟିର ପ୍ରକଳ୍ପ, ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଜିଲ୍ଲାର ଶହ ଶହ ପାଠୁଆ ଯୁବକଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି।
ଏକ ବେସରକାରୀ ତଥ୍ୟାନୁସାରେ, ଜିଲ୍ଲାରୁ ପ୍ରତି ବର୍ଷ ୩୦ ହଜାରରୁ ଅଧିକ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏମ୍‌ସିଏଲ୍‌ କୋଇଲା ଖଣି, ଏନ୍‌ଟିପିସି ତାପଜ ବିଦ୍ୟୁତ୍‌ ପ୍ରକଳ୍ପ, ଜେଏସ୍‌ଡବ୍ଲ୍ୟୁ, କୋଇଡ଼ା ଲୁହାପଥର ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା କରି ବାହାର ରାଜ୍ୟ ଓ ଜିଲ୍ଲାର କର୍ମଚାରୀ, ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟପ‌ଟେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ମଧ୍ୟ ବହୁ ବିସ୍ଥାପିତ ପରିବାର ନିଯୁକ୍ତି ପାଇନାହାନ୍ତି।
ଏହିକ୍ରମରେ ଦୁଇମାସ ତଳେ ଜାତୀୟ ଅନୁସୂଚୀତ ଜାତି ଆୟୁକ୍ତ ମନ୍ଦିରା ଡ୍ୟାମ୍‌ ଓ ଷ୍ଟିଲ୍‌ ପ୍ଲାଣ୍ଟର ୧୬୪ ବିସ୍ଥାପିତଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆୟୁକ୍ତଙ୍କ ନିର୍ଦ୍ଦେଶକୁ ଆରଏସ୍‌ପି କର୍ତ୍ତୃପକ୍ଷ ଶୁଣୁ ନଥିବା ଅଭିଯୋଗ ହୋଇଛି। ଦର୍ଲିପାଲି ଏନ୍‌ଟିପିସିରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେବାକୁ ସର୍ତ୍ତ ଥିଲେ ମଧ୍ୟ ତାକୁ କର୍ତ୍ତୃପକ୍ଷ ଖୋଲାଖୋଲି ଉପେକ୍ଷା କରିଛନ୍ତି। କମ୍ପାନିରେ ନିୟୋଜିତ ୧୪ ଶହ କର୍ମଚାରୀ, ଶ୍ରମିକଙ୍କ ମଧ୍ୟରୁ ମାତ୍ର ୪୦୮ ଜଣ ସ୍ଥାନୀୟ ଅଞ୍ଚଳର। ସେହିପରି ତାପଜ ବିଦ୍ୟୁତ୍‌ ଶକ୍ତିର ପରିଚାଳନା ଦାୟିତ୍ବ ରାଜ୍ୟ ବାହାରର ଏକ ଠିକା ସଂସ୍ଥାକୁ ଦିଆଯାଇଥିବା ବେଳେ ସେ ନିଯୁକ୍ତ କରିଥିବା ୪୦ରୁ ଅଧିକ ଠିକାଦାରୀ ସଂସ୍ଥା ମଧ୍ୟରେ ସ୍ଥାନୀୟ ଅଞ୍ଚଳର ମାତ୍ର ଗୋଟିଏ ଠିକା ସଂସ୍ଥା ରହିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରିଥିଲେ ମଧ୍ୟ କମ୍ପାନି ଶୁଣୁନାହିଁ। ଅନ୍ୟପଟେ ଡିଏମ୍‌ଏଫ୍‌ ଓ ଓମ୍‌ବାଡସିରୁ କୋଟି କୋଟି ଟଙ୍କା ବିନିଯୋଗରେ ଜିଲ୍ଲା ବିକାଶର ଛୋଟବଡ଼ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିରେ ଗ୍ଲୋବାଲ ଟେଣ୍ଡର ଡାକି ସ୍ଥାନୀୟ ଠିକାଦାରଙ୍କୁ ଜାଣିଶୁଣି ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଥିବା ଜଣାପଡିଛି ।

Related Posts