ବାଲେଶ୍ବର(ସତ୍ୟପାଠବ୍ୟୁରୋ): ଓଡ଼ିଶା ଜଙ୍ଗଲରେ ଦେଖାଯାଇଛି ଓରାଙ୍ଗଉଟାନ ଭଳି ଅଜଣା ଜୀବ। ଗୋଟିଏ କି ୨ଟି ନୁହେଁ ଏକା ସଙ୍ଗରେ ୫ଟି ଓରାଙ୍ଗଉଟାନ ଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଛି ୫ଟି ଓରାଙ୍ଗଉଟାନ ଜୀବ। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ବନବିଭାଗ ପକ୍ଷରୁ ଜୀବଗୁଡ଼ିକୁ ଉଦ୍ଧାର କରାଯାଇ ପଶୁ ଚିକିତ୍ସାଳୟ କେନ୍ଦ୍ରକୁ ନିଆଯାଇଥିବା ଜଣାପଡ଼ିଛି । କିନ୍ତୁ ପ୍ରଶ୍ନ ଉଠୁଛି ଗ୍ରାମାଞ୍ଚଳର ଏହି ଜଙ୍ଗଲରେ ଏଭଳି ଜୀବ ଆସିଲା କେଉଁଠୁ? ଏମାନେ ପ୍ରକୃତରେ ଓରାଙ୍ଗଉଟାନ ନା ଅନ୍ୟ କୌଣସି ପ୍ରଜାତି? ଯଦି ଓରାଙ୍ଗଉଟାନ, ତେବେ ଏକାଥରେ ୫ଟି ଜୀବ ଏଠାରେ କିପରି ପହଞ୍ଚିଲେ? ଘଟଣାକୁ ନେଇ ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନ।

ବିଚିତ୍ରପୁର ଜଙ୍ଗଲ ସବୁଦିନ ଭଳି ଜଙ୍ଗଲ ନିକଟବର୍ତ୍ତୀ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ହେଲେ ହଠାତ୍ ଜଙ୍ଗଲ ଭିତରେ ନଜରକୁ ଆସିଥିଲେ କିଛି ଅଜଣା ଜୀବ। ଦେଖିବାକୁ ଅବିକଳ ବଣମଣିଷ ଭଳି। ଗଛ ଓ ଜଙ୍ଗଲ ମଧ୍ୟରେ ଏମାନଙ୍କ ଗତିବିଧି ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏମାନେ ଓରାଙ୍ଗଉଟାନ ବୋଲି ଚର୍ଚ୍ଚା ହେବା ପରେ ଘଟଣାଟି ଅଧିକ ରୋଚକ ହୋଇଥିଲା। ଖବର ଚାରିଆଡ଼େ ପ୍ରଚାର ହେବା ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଏଭଳି ଜୀବକୁ ଆଗରୁ କେବେ ଦେଖିନଥିବା ଲୋକେ ଦୂରରୁ ଠିଆ ହୋଇ ଏମାନଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ। କିଏ ମୋବାଇଲରେ ଫଟୋ ଉଠାଉଥିଲେ, ତ ଆଉ କିଏ ଭିଡିଓ କରୁଥିଲେ। ଅଳ୍ପ ସମୟ ମଧ୍ୟରେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବନ ବିଭାଗର କର୍ମଚାରୀମାନେ ବିଚିତ୍ରପୁର ଜଙ୍ଗଲରେ ପହଞ୍ଚିଥିଲେ। ଜୀବଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ପରେ ୫ଟି ଜୀବକୁ ଉଦ୍ଧାର କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଘଟଣାର ସବୁଠାରୁ ବଡ଼ ରହସ୍ୟ ହେଉଛି- ଏହି ୫ଟି ଜୀବ ଆସିଲେ କେଉଁଠୁ। ଓରାଙ୍ଗଉଟାନ ସାଧାରଣତଃ ଭାରତୀୟ ଜଙ୍ଗଲର ସ୍ୱାଭାବିକ ପ୍ରଜାତି ନୁହେଁ। ତେଣୁ ବିଚିତ୍ରପୁର ଭଳି ଏକ ଗ୍ରାମାଞ୍ଚଳର ଜଙ୍ଗଲରେ ଏକାଥରେ ୫ଟି ଏଭଳି ଜୀବ ମିଳିବା ଘଟଣାକୁ ନେଇ ସ୍ୱାଭାବିକ ଭାବେ ଉଠିଛି ଅନେକ ପ୍ରଶ୍ନ। କେହି ଏମାନଙ୍କୁ ପୋଷିଥିଲେ କି? କୌଣସି ସ୍ଥାନରୁ ଏମାନଙ୍କୁ ଏଠାକୁ ଅଣାଯାଇଥିଲା କି? ନା ଅନ୍ୟ କୌଣସି କାରଣରୁ ଏମାନେ ଏଠାରେ ପହଞ୍ଚିଛନ୍ତି? ଏହା ସହ ଆଉ ଏକ ବଡ଼ ପ୍ରଶ୍ନ—ଯଦି ଏମାନେ ପ୍ରକୃତରେ ଓରାଙ୍ଗଉଟାନ, ତେବେ ଏମାନଙ୍କୁ ଏଠାକୁ ଆଣିଥିଲା କିଏ? ଏସବୁ ପ୍ରଶ୍ନର ଉତ୍ତର ଏବେ ବନ ବିଭାଗର ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ। ଅନ୍ୟପଟେ ଏହି ଜୀବଗୁଡ଼ିକର ସୁରକ୍ଷାକୁ ନେଇ ମଧ୍ୟ ସତର୍କ ହୋଇଛି ବନ ବିଭାଗ।