ବିଜୟ ଦିବସ ମନାଇ ଆଜି ଘରକୁ ବାହୁଡ଼ିବେ କୃଷକ, ଦୀର୍ଘ ୧ ବର୍ଷ ଆନ୍ଦୋଳନର ଘଟିବ ଅନ୍ତ

ହାଡଭଙ୍ଗା ଶୀତ, ପଲିଥିନ ତମ୍ବୁ ତଳେ ବୈଶାଖିର ଟାଇଁ ଟାଇଁ ଖରା , ଶ୍ରାବଣର ମୂଷଳ ଧାରା ସବୁ ସହ୍ୟ କରିବାର ଫଳ ଶେଷରେ ବହୁତ ମିଠା ହୋଇଛି | ଜିତିବାର ଲକ୍ଷ ଆଗରେ ସେ ସବୁ ଯେମିତି ଫିକା ପଡିଯାଇଛି | ଦୀର୍ଘ ୧ ବର୍ଷର ଅବିରାମ ସଂଗ୍ରାମ, ପୋଲିସର ଲାଠିମାଡ, ଜନପ୍ରତିନିଧିମାନଙ୍କର ଅପମାନ ଭରା ମନ୍ତବ୍ୟକୁ ଖାତିର ନକରି ନିଜର ଜିଦ ଆଗରେ ଅଟଳ ଥିଲେ କୃଷକ | ଶେଷରେ କୃଷକଙ୍କୁ ମିଳିଛି ବିଜୟ ଓ ଆଜି ସେ ବିଜୟର ବାନା ଧରି ପୁଣି ଘରକୁ ଆଜି ବାହୁଡ଼ିବେ |

ଦିଲ୍ଲୀର ସିଂଘୁ ସୀମାରେ ୧୩ ମାସ ଧରି ଆନ୍ଦୋଳନ ଚଳାଇଥିବା କୃଷକମାନେ ଆଜି ଆନ୍ଦୋଳନ ସମାପ୍ତ କରି ନିଜ ନିଜର ଘରକୁ ବାହୁଡିବେ । ଏହି କ୍ରମରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ବିଜୟ ମାର୍ଚ୍ଚର ଆୟୋଜନ କରାଯାଇଛି । ଗୋଟିଏ ପଟେ ଅନ୍ଦୋଳନ ଏତେ ଶକ୍ତିଶାଳୀ ଥିଲା ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନ ଶେଷରେ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ସରକାର । ଆନ୍ଦୋଳନ ଶେଷ ହେବାପରେ କୃଷକମାନେ ଏବେ ସେମାନେ ସେମାନଙ୍କ ଅସ୍ଥାୟୀ ଟେଣ୍ଟ ଭାଙ୍ଗିଛନ୍ତି । ଆନ୍ଦୋଳନ କ୍ରମରେ କୃଷକଙ୍କ କେତେବେଳେ ଆତଙ୍କବାଦୀ ତ କେତେବେଳେ ଖଲିସ୍ତାନୀର ଆଖ୍ୟା ଦିଆଯାଇଥିଲା । ହେଲେ କୃଷକମାନେ କେବେବି ସେମାନଙ୍କ ଆତ୍ମବିଶ୍ୱାସ ହରାଇ ନଥିଲେ ଓ ୩ ଆଇନକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ବାଧ୍ୟ କରିଦେଇଥିଲେ ।

କୁହାଯାଉଛି କି ଟ୍ରାକ୍ଟରରେ ଚାଷୀମାନେ ଯେତେବେଳେ ନିଜ ନିଜର ଘରକୁ ଫେରିବେ ସେମାନଙ୍କୁ ସ୍ୱାଗତ କରିବାକୁ ରାଜପଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Related Posts