ଝାରସୁଗୁଡ଼ା, (ସତ୍ୟପାଠବ୍ୟୁରୋ ): ବିଭିନ୍ନ ଦାବି ନେଇ ଝାରସୁଗୁଡ଼ାରେ ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନ କରିଛନ୍ତି। ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସରକାରୀ ମାନ୍ୟତା ସହ ଦରମା ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମୀମାନେ। ଅଙ୍ଗନବାଡ଼ି କର୍ମୀଙ୍କ କହିବା ଅନୁସାରେ, ତୃଣମୂଳ ସ୍ତରରେ ଶିଶୁଙ୍କ ପାଇଁ ବିଭିନ୍ନ ସେବା ଯୋଗାଇ ଦେଉଥିଲେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉନାହିଁ । ଦୀର୍ଘଦିନ ଧରି ସରକାରୀ ମାନ୍ୟତା ଓ ପାରିଶ୍ରମିକ ବୃଦ୍ଧି ଦାବି କରିଆସୁଥିବା ସତ୍ତ୍ୱେ ସମାଧାନ ହୋଇନଥିବାରୁ ଅସନ୍ତୋଷ ବଢ଼ିଛି। ଏହା ସହିତ ଶିଶୁଙ୍କ ପାଇଁ ଅଣ୍ଡା ଯୋଗାଣକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କର୍ମୀମାନେ । ସରକାରଙ୍କ ପକ୍ଷରୁ ଗୋଟିଏ ଅଣ୍ଡା ପାଇଁ ୬ ଟଙ୍କା ୪୯ ପଇସା ଦିଆଯାଉଥିବା ବେଳେ ବଜାରରେ ଅଣ୍ଡାର ଦାମ ପ୍ରାୟ ୯ ଟଙ୍କା ରହିଛି ବୋଲି ସେମାନେ କହିଛନ୍ତି । ଏଭଳି ପରିସ୍ଥିତିରେ ନିର୍ଦ୍ଧାରିତ ଟଙ୍କାରେ ପିଲାଙ୍କୁ ଅଣ୍ଡା ଦେବା କଷ୍ଟକର ବୋଲି ଅଙ୍ଗନବାଡ଼ି ଦିଦିମାନେ ଅଭିଯୋଗ କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ।