ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ସହ ସ୍ୱାସ୍ଥ୍ୟ, ପରିବହନ ସବୁ ବିଭାଗର ମାଷ୍ଟର ପ୍ଲାନ୍ ର ହୋଇଛି ସମୀକ୍ଷା । ରଥଯାତ୍ରା ସମୟରେ ପୁରୀ ସହରକୁ ଜଗିବ ୪୭୩ ସିସିଟିଭି କ୍ୟାମେରା । ୨୦୦ କ୍ୟାମେରାର ସରିଲାଣି ଲାଇଭ । ରଥଯାତ୍ରା ପାଇଁ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍ । ବଡ଼ଦାଣ୍ଡରେ ଦୁଇ ପାର୍ଶ୍ୱରେ ହେବ ଅସ୍ଥାୟୀ ମେଡିକାଲ । ସମୁଦ୍ରକୂଳରୁ ପଞ୍ଚତୀର୍ଥ ପୁଷ୍କରିଣୀରେ ରହିବେ ସ୍ୱତନ୍ତ୍ର ପୁଲିସ୍ ଟିମ୍ ସହ ରେସ୍କ୍ୟୁ ଟିମ୍ । ବୈଠକରେ ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ,ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଅତିରିକ୍ତ ଡିଜି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ନିଆଯାଇଛି। ଓକାକ ସହଯୋଗରେ ହେଉଥିବା ସୁବିଧା ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୁରୀ ସହର ପାଇଁ ୨ଟି ପୋଷ୍ଟାଲ ପିନ କୋଡ ରହିଛି। ଏହି ଦୁଇ ପିନ କୋଡକୁ ନେଇ ଓକାକକୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।ଫଳରେ ପୁରୀବାସୀ ସୋମାନଙ୍କ ଆଧାର କାର୍ଡ ଦେଖାଇ ଯାଇପାରିବେ। ଯଦି ସେମାନେ ସାଥିରେ ବନ୍ଧୁବାନ୍ଧବଙ୍କୁ ନେବାକୁ ଚାହିଁବେ , ତେବେ ତାହା ସମ୍ଭବ ହୋଇପାରିବନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
