ମନାମା : ବୃଦ୍ଧି ପାଇବ ଭାରତ-ବାହାରିନ ଦ୍ୱିପାକ୍ଷିକ ସମ୍ପର୍କ। ଭାରତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବାହାରିନର ମନାମାରେ ପ୍ରତିପକ୍ଷ ଡକ୍ଟର ଅବଦୁଲ ଲାତିଫ ବିନ୍ ରସିଦ ଅଲ ଜାୟାନିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଉଭୟ ନେତା ଭାରତ-ବାହାରିନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା, ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଏବଂ ଏହି କ୍ଷେତ୍ରରେ ସାମ୍ପ୍ରତିକ ବିକାଶ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହାସହିତ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଆଲୋଚନା ହୋଇଛି। ବୈଠକ ସମୟରେ ଜୟଶଙ୍କର ବାହାରିନରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସୁରକ୍ଷା, କଲ୍ୟାଣ ଏବଂ ସ୍ୱାର୍ଥର ଯତ୍ନ ନେବା ପାଇଁ ବାହାରିନ ନେତୃତ୍ୱଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଜୟଶଙ୍କର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି। ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଛଅ ରାଷ୍ଟ୍ରୀୟ ଗସ୍ତରେ ବାହାରିନ ହେଉଛି ଦ୍ୱିତୀୟ ରାଷ୍ଟ୍ର ଗସ୍ତ। ଏହାପରେ ସେ କୁଏତ, ଓମାନ, ଆମେରିକା ଏବଂ ବ୍ରୁସେଲ୍ସ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ରଣନୈତିକ, ଅର୍ଥନୈତିକ ଏବଂ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା। ବାହାରିନ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କତାରା ଗସ୍ତ କରି ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷୀକ ଆଲୋଚନା କରିଥିଲେ।
