ନୂଆଦିଲ୍ଲୀ,(ସତ୍ୟପାଠ ବ୍ୟୁରୋ): ଭାରତୀୟ ବଂଶୋଦ୍ଭବ ନବନେତମ ପିଲାଇଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର । ଅନ୍ତର୍ଜାତୀୟ ଆଇନକୁ ପ୍ରମୋଟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନୋବେଲ୍ ଶାନ୍ତି ସମ୍ମାନରେ ସମ୍ମାନିତ ହେବେ ନବନେତମ ପିଲାଇ । ମାନବାଧିକାର ସୁରକ୍ଷା ଏବଂ ନ୍ୟାୟ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଲିଭା ଛାପ ଛାଡିଥିବା ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନଜ୍ଞ ନବନେତମ୍ ‘ନଭି’ ପିଲାଇଙ୍କୁ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି । ନୋବେଲ୍ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ୮୮ ବର୍ଷୀୟ ‘ନଭି’ ପିଲାଇ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଏକ ଭାରତୀୟ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେବାପା ତାମିଲନାଡୁରୁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ସେ ଦକ୍ଷିଣ ଆଫ୍ରିକାର ନାଟାଲ ପ୍ରଦେଶରେ ଆଇନ ଅଭ୍ୟାସ ଆରମ୍ଭ କରିଥିବା ପ୍ରଥମ ଅଣ-ଶ୍ୱେତାଙ୍ଗ ମହିଳା ଥିଲେ । ମାନବିକ ଅଧିକାର ପାଇଁ ଲଢ଼େଇରେ ତାଙ୍କର ଅବଦାନ ଐତିହାସିକ । ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପଙ୍କ ହାତ ପୁଣି ଖାଲି ହୋଇପଡ଼ିଛି ଏବଂ ଚଳିତ ବର୍ଷ ମଧ୍ୟ ସେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇନାହାନ୍ତି । ଏକାଧିକ ଦେଶର ଶାନ୍ତି ଫେରାଇ ଆଣିଥିବା ଦାବି କରିଆସୁଥିବା ଆମେରିକା ରାଷ୍ଟ୍ରପତିଙ୍କୁ ବଡ଼ ଝଟକା ଲାଗିଛି । ସେ ବାରମ୍ବାର ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା କହି ଆସୁଥିଲେ । ତାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବ ବୋଲି ଦାବି କରୁଥିଲେ । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି ।