ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏହି ସମ୍ମାନ

ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ମନୋନୀତ ହୋଇଛନ୍ତି। ସେ ଇଂଲଣ୍ଡର ଟମସିନ୍‌ ବିମୋଣ୍ଟ, ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଏବଂ ଆୟର୍ଲାଣ୍ଡର ଗାବି ଲୁଇସଙ୍କୁ ପଛରେ ପକାଇ ଏହି ସମ୍ମାନ ଜିତିଛନ୍ତି। ଚଳିତ ବର୍ଷ କୌଣସି ଭାରତୀୟ ପୁରୁଷ କ୍ରିକେଟର୍ ଆଇସିସିର କୌଣସି ଫର୍ମାଟରେ ପୁରସ୍କାର ଜିତିପାରି ନାହାନ୍ତି। ହେଲେ ମନ୍ଧାନା ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର ଜିତି ଭାରତର ସମ୍ମାନ ରକ୍ଷା କରିଛନ୍ତି।

ମନ୍ଧନା ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ଏହାପୂର୍ବରୁ ସେ ୨୦୧୮ରେ ଶ୍ରେଷ୍ଠ ମହିଳା କ୍ରିକେଟର ତଥା ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ପୁରସ୍କାର ଜିତିଥିଲେ। ଦୁଇଥର ଏହି ପୁରସ୍କାର ଜିତିଥିବା ମନ୍ଧାନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳ। ଏହାପୂର୍ବରୁ ଝୁଲାନ ଗୋସ୍ବାମୀ (୨୦୦୭) କେବଳ ଥରେ ଏହି ପୁରସ୍କାର ଜିତିଛନ୍ତି। ଏଥି ସହିତ, ସାମଗ୍ରିକ ଭାବେ ମନ୍ଧାନା ହେଉଛନ୍ତି ଦ୍ୱିତୀୟ ମହିଳା କ୍ରିକେଟର। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଲିସ ପେରି ଦୁଇଥର (୨୦୧୭, ୨୦୧୯) ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ଜିତିଥିଲେ।

୨୦୨୧ରେ ମନ୍ଧାନା ୨୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୮.୮୬ ହାରରେ ୮୫୫ ରନ୍ କରିଛନ୍ତି। ସେ ଗତବର୍ଷ ୫ ଅର୍ଦ୍ଧଶତକ ଓ ଗୋଟିଏ ଶତକ ମାରିଥିଲେ। ତାଙ୍କର ଏହି ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଟିମ୍ ପାଇଁ ଗତବର୍ଷ ଭଲ ରହିନଥିଲା। କିନ୍ତୁ ମନ୍ଧାନାଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜରେ ଭାରତ ଘରୋଇ ମାଟିରେ ୮ଟିରୁ ଦୁଇଟି ବିଜୟ ହାସଲ କରିଥିଲା। ମନ୍ଧାନା ଏହି ଦୁଇ ମୁକାବିଲାରେ ଟିମର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ସେ ଦ୍ୱିତୀୟ ଦିନିକିଆରେ ଅପରାଜିତ ୮୦ ରନ୍ କରିଥିଲେ।

Related Posts