ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଯୁଦ୍ଧ ଭିତରେ ଟାରିଫ୍ ବୋମା ଫୁଟାଇଛି ଆମେରିକା । ୨ ଦିନ ତଳେ େଜନେରିକ ଔଷଧ ନେଇ ଭାରତ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଦିବାକୁ ଘୋଷଣା କରିଥିଲେ। ଆଜି ପୁଣି ଆଉ ଏକ ଟାରିଫ୍ ବୋମା ଫୁଟାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଧ୍ୟତାମୂଳକ ଶ୍ରମରେ ତିଆରି ଉତ୍ପାଦ ଉପରେ ନିୟନ୍ତ୍ରଣ କଡ଼ାକଡ଼ି କରିବା ପାଇଁ ଆମେରିକା ଭାରତ ସମେତ ୧୭ଟି ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୧୦% ଅତିରିକ୍ତ ଶୁଳ୍କ ଘୋଷଣା କରିଛି। ଧାରା ୩୦୧ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇ ଥିବାବେଳେ ନୂତନ ଶୁଳ୍କ ଆଜିଠାରୁ ଲାଗୁ ହେବ ।

ୟୁଏସଟିଆର ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ସେହି ଦେଶଗୁଡ଼ିକ ବିରୋଧରେ ନିଆଯାଇଛି ଯେଉଁମାନେ ବାଧ୍ୟତାମୂଳକ ଶ୍ରମରେ ତିଆରି ଉତ୍ପାଦକ ଆମଦାନୀକୁ ସୀମିତ କରିବା ପାଇଁ ପର୍ଯ୍ୟାପ୍ତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଇ ନାହନ୍ତି। ଭାରତକୁ ୧୦ ପ୍ରତିଶତ ନିମ୍ନ ଟାରିଫ୍ ସ୍ଲାବରେ ରଖାଯାଇଛି। ଅନ୍ୟ କିଛି ଦେଶ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ କରିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ, ୬୦ଟି ବିଣିଜ୍ୟିକ ଅଂଶୀଦାର ଦେଶର ସମୀକ୍ଷା କରାଯାଇଥିଲା। ପ୍ରାରମ୍ଭରେ, କୁହାଯାଉଥିଲା କି, ଭାରତ ଅତିରିକ୍ତ ୧୨.୫ ପ୍ରତିଶତ ଶୁଳ୍କ ସମ୍ମୁଖୀନ ହୋଇପାରେ। କିନ୍ତୁ ଶ୍ରମ ମାନଦଣ୍ଡ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ପରେ, ଭାରତକୁ ୧୦ ପ୍ରତିଶତ ସ୍ଲାବରେ ରଖାଯାଇଛି । ସେ କହିଛନ୍ତି, ଯେ ଆମେରିକା ଦୀର୍ଘ ସମୟ ଧରି ବାଧ୍ୟତାମୂଳକ ଶ୍ରମିକରେ ତିଆରି ସାମଗ୍ରୀକ ଆମଦାନୀ ଉପରେ କଟକଣା ଜାରି କରିଆସିଛି । ଏବେ ଚାହୁଁଛି ଯେ, ଏହା ବାଣିଜ୍ୟିକ ଅଂଶୀଦାରମାନେ ସମାନ ପ୍ରଭାବଶୀଳ ପଦକ୍ଷେପ ନିଅନ୍ତୁ ।

ଭାରତ ବ୍ୟତୀତ ଆର୍ଜେଣ୍ଟିନା, ବାଂଲାଦେଶ , କାମ୍ବୋଡିଆ, କାନାଡା, ଇକ୍ୟୁଏଡର୍, ଏଲ ସାଲଭାଡୋର, ଗୁଆଟେମାଲା, ହୋଣ୍ଡୁରାସ, ଇଣ୍ଡୋନେସିଆ, ଜୋର୍ଡାନ, ମାଲେସିଆ, ମେକ୍ସିକୋ, ପାକିସ୍ଥାନ, ଶ୍ରୀଲଙ୍କା, ତ୍ରିନିଦାଦ ଏବଂ ଟୋବାଗୋ ଏବଂ ବ୍ରିଟେନ ମଧ୍ୟ ୧୦% ଅତିରିକ୍ତ ଶୁଳ୍କ ଗୋଷ୍ଠୀରେ ଅଛନ୍ତି। ଅନ୍ୟାନ୍ୟ ଦେଶ ୧୨.୫% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କର ସମ୍ମୁଖୀନ ହେବେ । ସୂତ୍ର ଅନୁଯାୟୀ, ୧୨.୫ ପ୍ରତିଶତ ଶୁଳ୍କ ଲାଗୁ ହେବା ଆଶା ରଖି ଭାରତ ବାଧ୍ୟତାମୂଳକ ଶ୍ରମ ସହିତ ଜଡିତ ଉତ୍ପାଦଗୁଡ଼ିକର ଚିହ୍ନଟ ଏବଂ ତଦାରଖକୁ ବୃଦ୍ଧି କରୁଛି ।