ଭିଏତନାମ(ସତ୍ୟପାଠବ୍ୟୁରୋ): ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହାର କରି ଖୁସି ମନାଇବାକୁ ଯାଇଥିଲେ। ହେଲେ କାହାର ନଜର ଲାଗିଲା କେଜାଣି। ସବୁ କିଛି ଓଲଟ ପାଲଟ ହୋଇଗଲା। କିଏ ଜାଣିଥିଲା ରାସ୍ତାରେ ଛକି ବସିଛି ଜମ। ଭିଏତନାମର ସର୍ବବୃହତ ଦ୍ୱୀପ ଫୁ କ୍ୱୋକରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପିଡବୋଟ୍ ବୁଡ଼ିଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟ ୧୩ ପୁରୁଷ ଓ ୨ ଜଣ ମହିଳା ଥିବା ଜଣାପଡ଼ିଛି। ପ୍ରବଳ ପବନ ଓ ଉଚ୍ଚ ଢେଉ ଯୋଗୁଁ ସ୍ପିଡ୍‌ବୋଟ୍‌ଟି ଓଲଟି ପଡ଼ିଥିଲା। ଫୁ କ୍ୱୋକର ହାନ୍‌ ମେ ରୁଟ୍ ଏନ୍‌ଗୋଇ ନିକଟରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ ବୋଟ୍‌ ଶନିବାର ବୁଡ଼ି ଯାଇଥିଲା। ଫୁ କ୍ୱୋକ୍ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର କର୍ତ୍ତୃପକ୍ଷଙ୍କ ପ୍ରାରମ୍ଭିକ ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୧ଟାରେ, ଓସେନ୍ ପିଅର୍ ଆଇଲ୍ୟାଣ୍ଡ୍ କମ୍ପାନୀ ଦ୍ୱାରା ପରିଚାଳିତ ସ୍ପିଡ୍‌ବୋଟ୍ ପର୍ଯ୍ୟଟକମାନଙ୍କୁ ଫୁ କ୍ୱୋକ୍ ବନ୍ଦରରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଆନ୍ ଥୋଇ ବନ୍ଦରକୁ ନେଇଯାଉଥିଲା। ସମୁଦ୍ର ଅଶାନ୍ତ ଥିବାରୁ ଏହା ହାନ୍ ମେ ରୁଟ୍ ଏନ୍‌ଗୋଇ କୂଳଠାରୁ ପ୍ରାୟ ୪୦୦ ମିଟର ଦୂରରେ ଓଲଟି ପଡ଼ିଥିଲା ଓ ବୋଟ୍‌ରେ ଥିବା ସମସ୍ତ ଯାତ୍ରୀ ସମୁଦ୍ରରେ ବୁଡ଼ି ଯାଇଥିଲେ। ସୀମା ସୁରକ୍ଷା ବାହିନୀ, ନୌସେନା, ତଟରକ୍ଷୀ ବାହିନୀ ଓ ଅନ୍ୟାନ୍ୟ ଉଦ୍ଧାର ଦଳ ଉଦ୍ଧାରକାର୍ଯ୍ୟ ପାଇଁ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଡଙ୍ଗାଧରି ଉଦ୍ଧାର କରିବାକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ ଅନେକ ପର୍ଯ୍ୟଟକ ଡଙ୍ଗା ତଳେ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କର୍ତ୍ତୃପକ୍ଷ କହିଛନ୍ତି ଯେ, ବୋଟରେ ଥିବା ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି, ୧୫ ମୃତକଙ୍କ ଶବ ଜବତ କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଗଲ୍ଫ ଅଫ୍‌ ଥାଇଲାଣ୍ଡରେ ଥିବା ଫୁ କ୍ବୋକ୍‌ ଦ୍ବୀପ ଏହାର ଧଳାବାଲି ବେଳାଭୂମି, ଅତି ସ୍ୱଚ୍ଛ ଜଳ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଘରୋଇ ଓ ଅନ୍ତର୍ଜାତୀୟ ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ।

ଭିଏତନାମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ଏହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ଓ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଭିଏତନାମ କର୍ତ୍ତୃପକ୍ଷ କହିଛନ୍ତି, ପ୍ରବଳ ପବନ ଓ ଉଚ୍ଚ ଢେଉ ଯୋଗୁଁ ସ୍ପିଡ୍‌ବୋଟ୍‌ଟି ଓଲଟି ପଡ଼ିଥାଇପାରେ। ଭାରତୀୟ ଦୂତାବାସ ସୂଚନା ଓ ସହାୟତା ପ୍ରଦାନ କରିବା ପାଇଁ ହୋ ଚି ମିନ୍ ସିଟିରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ ଓ ହାନୋଇରେ ଥିବା ଦୂତାବାସରେ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି। ଭିଏତନସ୍ଥିତ ଭାରତୀୟ ଦୂତାବାସ ପର୍ୟ୍ୟଟକଙ୍କ ସମ୍ପର୍କରେ ସୂଚନା ଜାଣିବାକୁ ହେଲ୍ପଲାଇନ ନମ୍ବର ଜାରି କରିଛି। ୪୩୬୨୮୧୭୯୩୦, ୮୪୯୧୫୫୨୩୭୧୪ ଓ ୮୪୩୩୪୫୨୦୪୧୪ ଓ ହାନୋଇ ପାଇଁ ୮୪୯୧୩୦୮୯୧୬୫ ନମ୍ବର ଜାରି କରିଛି।