କୋରାପୁଟ(ସତ୍ୟପାଠ ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋରାପୁଟ ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ (ଓସିସି) ଲିମିଟେଡ୍ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପେଟ୍ଟାଙ୍କ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ େବଳେ ଭିଜିଲାନ୍ସ ଟିମ୍ କୋରାପୁଟ ଟିକରା ସାହି ସ୍ଥିତ ଭଡ଼ା ଘର, କୋରାପୁଟ ସହରର କୁମ୍ଭା-୧ ମୌଜାରେ ଥିବା ଚାରି ମହଲା ହୋଟେଲ, କୁମ୍ଭା-୨ ମୌଜାରେ ନିର୍ମାଣାଧୀନ ବାସଭବନ, ସୁନ୍ଦରଗଡ଼ ଜିଲ୍ଲା ଲାଟେଇମୁଣ୍ଡା ଗ୍ରାମରେ ଥିବା ପୈତୃକ ଘର ଏବଂ ସେଠାରେ ନିର୍ମାଣାଧୀନ ତିନି ମହଲା କୋଠା ସହ ଭୁବନେଶ୍ୱର ଓ ବଲାଙ୍ଗିରସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ତଲାସି ଜାରି ରହିଛି। ତଲାସି ସମୟରେ ସମ୍ପତ୍ତି, ଦସ୍ତାବିଜ, ବ୍ୟାଙ୍କ ରେକର୍ଡ ଓ ଅନ୍ୟାନ୍ୟ ଆର୍ଥିକ ତଥ୍ୟ ଯାଞ୍ଚ ଜାରି ରହିଛି। ଚଢ଼ଉ ଜାରି ରହିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦିନ ୨ଟା ସୁଦ୍ଧା କୋରାପୁଟରେ ୫ ଟି ପ୍ଳଟ,ଭୁବନେଶ୍ବରଠାରେ ଗୋଟିଏ ଏବ ରାଉଲକେଲା ଲହୁଣୀ ପଡ଼ା ଠାରେ ଦୁଇଟି ଦାମୀ ପ୍ଳଟ ରହିଛି। ସେହିଭଳି ୨ଟି ଦାମୀ କାର, ବୁଲେଟ ସହ ସ୍କୁଟି ଏବଂ କୋରାପୁଟରେ ୪ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲ ଯାହାର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ବ ହେବ। ଘରୁ ପୁଳା ପୁଳା ସୁନା ସହ ରୁପା ଅଳଙ୍କାର ଜବତ ହୋଇଛି। ଏହାସହ ବିଭିନ୍ନ କମ୍ପାନୀର ଜୀବନ ବୀମା ସହ ଅନେକ ଦସ୍ତାବିଜ ଜବତ ହୋଇଛି। ତଲାସି ଶେଷ ହେବା ପରେ ଜବତ ସାମଗ୍ରୀ ଓ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସହ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହି ଚଢ଼ଉରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ଚଢ଼ଉ କରିଥିବା ଜଣାପଡ଼ିଛି।
