କେନ୍ଦ୍ରାପଡ଼ା(ସତ୍ୟପାଠବ୍ୟୁରୋ) : କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର। ଚଳିତ ମୌସୁମୀ ଋତୁରେ ଏଠାରେ ବସା ବାନ୍ଧୁଥିବା ପକ୍ଷୀଙ୍କ ସଂଖ୍ୟା ପ୍ରାୟତଃ ବୃଦ୍ଧି ପାଇଛି। ପକ୍ଷୀ ଗଣନା ସମୟରେ ଭିତରକନିକାରେ ୧୦ଟି ପ୍ରଜାତିର ମୋଟ ୧ ଲକ୍ଷ ୩୨ ହଜାର ୨୭୯ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ଭିତରକନିକାର ବିଭିନ୍ନ ଅଞ୍ଚଳରେ ପକ୍ଷୀମାନେ ବସା ବାନ୍ଧି ପ୍ରଜନନ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ହେରନ୍, ଏଗ୍ରେଟ୍ ଓ ଅନ୍ୟାନ୍ୟ ଜଳଚର ପକ୍ଷୀଙ୍କ ଉପସ୍ଥିତି ଏଠାକାର ଜୈବ ବିବିଧତାକୁ ଆହୁରି ସମୃଦ୍ଧ କରିଛି।
ପ୍ରତିବର୍ଷ ମୌସୁମୀ ଋତୁରେ ଭିତରକନିକାକୁ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥାନ୍ତି। ନଦୀ, ନାଳ, ମ୍ୟାନଗ୍ରୋଭ୍ ଜଙ୍ଗଲ ଓ ଜଳାଶୟ ଅଞ୍ଚଳ ପକ୍ଷୀଙ୍କ ପାଇଁ ଅନୁକୂଳ ପରିବେଶ ଯୋଗାଇଥାଏ। ଏଠାରେ ପକ୍ଷୀମାନେ ବସା ବାନ୍ଧିବା ସହ ଅଣ୍ଡା ଦେଇ ପ୍ରଜନନ କରିଥାନ୍ତି। ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାରରୁ ଅଧିକ ହେବା ଭିତରକନିକାର ପରିବେଶ ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି କୁହାଯାଉଛି। ଏହା ଦ୍ୱାରା ଭିତରକନିକାର ଜୈବ ବିବିଧତା ଓ ପକ୍ଷୀ ସଂରକ୍ଷଣର ଗୁରୁତ୍ୱ ମଧ୍ୟ ଆହୁରି ବଢ଼ିଛି।