ବାଲେଶ୍ବର (ସତ୍ୟପାଠବ୍ୟୁରୋ): ବାଲେଶ୍ୱର ଭୋଗରାଇରୁ ଓରାଙ୍ଗଉଟାଙ୍ଗ ଉଦ୍ଧାର ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଘଟଣାର ଗୁମର ଖୋଲିବା ପାଇଁ ଓଡ଼ିଶା ଏସଟିଏଫ ପଶ୍ଚିମବଙ୍ଗରେ ଛାନଭିନ୍ ଚଳାଇଛି। ଦୀଘାର ଏକ ଘରୋଇ ହୋଟେଲରୁ ଗତକାଲି ୩ ଜଣଙ୍କୁ ଉଠାଇ ନେଇ ଏସଟିଏଫ ପଚରାଉଚରା କରୁଥିବାବେଳେ ଆଜି ପୁଣି ହୋଟେଲ ମ୍ୟାନେଜରଙ୍କୁ ନେଇ ପଚରାଉଚରା କରାଯାଉଛି।
ସୂଚନା ଅନୁସାରେ, ଓରାଙ୍ଗଉଟାନ୍ଟି କିପରି ଏବଂ କେଉଁଠୁ ଭୋଗରାଇ ଅଞ୍ଚଳକୁ ଆସିଲା, ତାହାର ଖୋଳତାଡ଼ ଚାଲିଛି। ଏହି ଘଟଣାରେ ଦୀଘାର ଉକ୍ତ ହୋଟେଲର ଭୂମିକା ନେଇ ତଦନ୍ତକାରୀ ଟିମ୍ର ସନ୍ଦେହ ବଢ଼ିଛି। ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କର ଏହି ଘଟଣାରେ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଉଭୟଙ୍କ ଘର ପଶ୍ଚିମବଙ୍ଗର ହାଓଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ତଦନ୍ତ ସମୟରେ ହୋଟେଲ ମାଲିକ ଓ ତାଙ୍କ ପୁଅ ଫେରାର ଥିବା ସୂଚନା ମିଳିଛି।
ଏପଟେ ହୋଟେଲ ମ୍ୟାନେଜରଙ୍କୁ ପଚରାଉଚରା କରି STF ଘଟଣା ସମ୍ପର୍କିତ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି। ଗତକାଲି ଅଟକ ଥିବା ୩ ଜଣଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢ଼ୁଥିବା କୁହାଯାଉଛି। ଓରାଙ୍ଗଉଟାନ୍ ଭଳି ସୁରକ୍ଷିତ ବନ୍ୟପ୍ରାଣୀ ଓଡ଼ିଶାକୁ ଆସିବା ପଛରେ କୌଣସି ବଡ଼ ଚାଲାଣ ନେଟୱର୍କ ରହିଛି କି, ସେନେଇ ମଧ୍ୟ ତଦନ୍ତ ଚାଲିଛି । STFର ତଦନ୍ତ ଆଗକୁ ବଢ଼ିବା ସହ ଘଟଣା ପଛର ପ୍ରକୃତ କାହାଣୀ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
