ସମ୍ବଲପୁର, ୨୧|୭(ସତ୍ୟପାଠ ବ୍ୟୁରୋ): ହଷ୍ଟେଲରେ ନିମ୍ନମାନର ଖାଦ୍ୟ ନେଇ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ରତିବାଦରେ ଛାତ୍ରଛାତ୍ରୀମାନେ ପୁଣି ଥରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଦୀର୍ଘ ଦିନ ଧରି ହଷ୍ଟେଲରେ ପରିବେଷଣ କରାଯାଉଥିବା ଖାଦ୍ୟର ମାନ ଅତ୍ୟନ୍ତ ଖରାପ। ଏହାକୁ ନେଇ ସେମାନେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଗେଟ୍ ସମ୍ମୁଖରେ ଧାରଣାରେ ବସି ତୁରନ୍ତ ଖାଦ୍ୟର ମାନ ସୁଧାରିବା ସହ ହଷ୍ଟେଲ ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ଦାବି କରିଛନ୍ତି । ଅନ୍ୟପଟେ, ଆନ୍ଦୋଳନକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାକୁ ଛାତ୍ରଛାତ୍ରୀ ଅପେକ୍ଷା କରିଥିବାବେଳେ, ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି।
