ଭୁବନେଶ୍ୱର ରେଳ ଷ୍ଟେସନକୁ ମିଳିଲା ‘ଇଟ ରାଇଟ ଷ୍ଟେସନ’ର ମାନ୍ୟତା ଓ ୫ ଷ୍ଟାରରୁ ୪ ଷ୍ଟାର ରେଟିଂ

ସତ୍ୟପାଠ 23/12 ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନକୁ ମିଳିଲା ‘ଇଟ ରାଇଟ ଷ୍ଟେସନ’ର ମାନ୍ୟତା ସହ ୫ ଷ୍ଟାରରୁ ୪ ଷ୍ଟାର ରେଟିଂ ପାଇଲା ଭୁବନେଶ୍ୱର ରେଳ ଷ୍ଟେସନ । ଭୁବନେଶ୍ୱର ଷ୍ଟେସନକୁ ଦେଶର ୧୦ ହଜାର ରେଳ ଷ୍ଟେସନ ଭିତରେ ୬ଷ୍ଠ ଇଟ ରାଇଟ ଷ୍ଟେସନ ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI । ଭୁବନେଶ୍ୱର ଷ୍ଟେସନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନର ଯାମିନୀ ଷଡ଼ଙ୍ଗୀଙ୍କ ଠାରୁ ଇଟ ରାଇଟ ଷ୍ଟେସନ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ ରିଙ୍କେଶ ରାୟ । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଷ୍ଟେସନକୁ ମିଳିଛି ୪ ଷ୍ଟାର ରେଟିଂ ।

ସ୍ୱଚ୍ଛତା, ନିରାପଦ ଖାଦ୍ୟ ଭଳି ମାନଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଏହି ମାନ୍ୟତା ପାଇଛି ଭୁବନେଶ୍ୱର ଷ୍ଟେସନ । ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା କମିଶନର । କିଛି ମାସ ମଧ୍ୟରେ ପୁରୀ ଷ୍ଟେସନକୁ ମଧ୍ୟ ଇଟ ରାଇଟ ଷ୍ଟେସନରେ ପରିଣତ କରିବାକୁ କାର୍ଯ୍ୟ କରାଯାଉଛି । ଏହାସହ ଆଗକୁ ପୁରୀ, ବ୍ରହ୍ମପୁର, ଭଦ୍ରକ, କଟକ, ଯାଜପୁର ଆଦି ବଡ଼ ଷ୍ଟେସନକୁ ମଧ୍ୟ ଫୁଡ ସେଫ୍ଟି କ୍ଷେତ୍ରରେ ଉନ୍ନତ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ । ଓମିକ୍ରନ ରୋକିବା ଲାଗି ଷ୍ଟେସନରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ଷ୍ଟେସନ ପରିସରରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଆର୍ଥିକ ଦଣ୍ଡିତ କରାଯାଉଛି । କରୋନା ନେଇ ଆଗକୁ ସରକାରଙ୍କ ନିର୍ଦ୍ଦେଶ ଯେମିତି ଆସିବ, ସେ ଅନୁସାରେ ଆମେ କାମ କରିବୁ ।

Related Posts