ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଭୂକମ୍ପରେ ଥରି ଉଠିଲା ଲେହ-ଲଦାଖ। ସକାଳୁ ସକାଳୁ ଭୂକମ୍ପର ଝଟକା ଅନୁଭବ କରିଥିଲେ ଲଦାଖବାସୀ। ଲଦାଖର ଲେହଠାରେ ଗୁରୁବାର ସକାଳେ ଏକ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୬ଟା ୫ ମିନିଟ୍ ସମୟରେ ହଠାତ୍ ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ସୂଚନା ଅନୁସାରେ, ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ରହିଥିଲା ।
ଲୋକମାନେ ସକାଳେ ନିଜ ନିଜ ଘରେ ଶୋଇଥିବା ସମୟରେ ହଠାତ୍ ତୀବ୍ର ଝଟକା ଅନୁଭୂତ ହୋଇଥିଲା । କମ୍ପନ ଏତେ ଜୋରରେ ଥିଲା ଯେ, ଲୋକଙ୍କ ନିଦ ଭାଙ୍ଗିଯାଇଥିଲା ଏବଂ ଭୟଭୀତ ହୋଇ ସେମାନେ ଘରୁ ବାହାରକୁ ଦୌଡ଼ି ଆସି ରାସ୍ତା ଉପରେ ଏକାଠି ହୋଇଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ବା ଜୀବନହାନି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ବିଶେଷଜ୍ଞଙ୍କ ମତରେ, ୭.୦ କିମ୍ବା ତା’ଠାରୁ ଅଧିକ ପ୍ରବଳତା ଥିବା ଭୂକମ୍ପକୁ ଅତ୍ୟନ୍ତ ବିପଦଜନକ ଶ୍ରେଣୀରେ ରଖାଯାଏ । ସେହିପରି ୨.୦ କିମ୍ବା ତା’ ଠାରୁ କମ୍ ପ୍ରବଳତାକୁ ମାଇକ୍ରୋ ଭୂକମ୍ପ କୁହାଯାଏ, ଯାହା ସାଧାରଣତଃ ଲୋକେ ଅନୁଭବ ମଧ୍ୟ କରିପାରନ୍ତି ନାହିଁ । ୪.୫ କିମ୍ବା ତା’ଠାରୁ ଅଧିକ ପ୍ରବଳତା ବିଶିଷ୍ଟ ଭୂକମ୍ପକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ । ଏହି ମାତ୍ରାର ଭୂକମ୍ପ ଘର ଏବଂ ବଡ଼ ବଡ଼ କୋଠାବାଡ଼ିଗୁଡ଼ିକୁ କ୍ଷତି ପହଞ୍ଚାଇବାର କ୍ଷମତା ରଖିଥାଏ ।
