ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହୋଇଛି । ମୁଖ୍ୟ ପୂଜକଙ୍କ ସମେତ ଅନ୍ୟ ପୂଜକମାନଙ୍କ ଘରୁ ଆସିଥିବା ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ମାଆଙ୍କୁ ଅର୍ପଣ କରାଯାଇଥିଲା। ଗଣପର୍ବ ନୂଆଁଖାଇ ନେଇ ଚଳଚଞ୍ଚଳ ଗାଁଠୁ ସହର। ଘରେ ଘରେ ପିଠାପଣାର ପ୍ରସ୍ତୁତି, ନୂଆଁ ଧାନରେ ମହକୁଛି ଭିଟାମାଟି। ସେପଟେ ନୂଆଁଖାଇ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇବା ସହ ମା’ ସମଲେଶ୍ୱରୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା କେବଳ ଏକ ପର୍ବ ନୁହେଁ, ଆମର ମାଟି, ସଂସ୍କୃତି, ଚାଲିଚଳନ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆଁଖାଇ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପଶ୍ଚିମ ଓଡିଶା ଗଣପର୍ବ ନୂଆଖାଇ ନେଇ ସମସ୍ତ ଭାଇ ଓ ଭଉଣୀଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି। ମାଁ ପାଟଣେଶ୍ବରୀ, ମାଁ ସମଲେଶ୍ଵରୀ,ମାଁ ଦଶମତୀଙ୍କ କୃପାରୁ ସମସ୍ତ ସୁଖ, ସମୃଦ୍ଧି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି।
ଆଜି ଦୁଲୁକୁଛି ସମଗ୍ର ପଶ୍ଚିମ ଓଡ଼ିଶା। ସମସ୍ତେ ମିଶି ଧୁମଧାମରେ ପାଳନ କରିଛନ୍ତି ଗଣପର୍ବ ନୂଆଖାଇ। ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା’ ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ। ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପରମ୍ପରା ଅନୁଯାୟୀ, ଆଜି ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ଓ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । ପରିବାରର ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଭେଟଭାଟ ହୋଇ ଶୁଭେଚ୍ଛା ଜଣାନ୍ତି । ନୂଆଖାଇର ଆଉ ଏକ ବିଶେଷତ୍ୱ ହେଉଛି ‘ନୂଆଁଖାଇ ଭେଟଘାଟ’ । ଏହି ଅବସରରେ ଲୋକେ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ସହ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରନ୍ତି । ଜାତି, ଧର୍ମ ଓ ଦଳମତ ନିର୍ବିଶେଷରେ ଏହି ପର୍ବ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥାଏ । ସହରଠାରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ଆଜି ନିଜ ମାଟି ଓ ପରିବାରକୁ ମନେ ପକାଇ ନୂଆଁଖାଇ ପାଇଁ ଘରମୁହାଁ ହୋଇଛନ୍ତି । ଫଳରେ ଗାଁଗୁଡ଼ିକରେ ପର୍ବର ଆନନ୍ଦ ଆହୁରି ଦ୍ୱିଗୁଣିତ ହୋଇଛି । ନୂଆଖାଇ ଆମକୁ ମାଟି, ଚାଷୀ ଓ ଅନ୍ନ ପ୍ରତି ସମ୍ମାନ କରିବାର ବାର୍ତ୍ତା ଦେଇଥାଏ । ପରମ୍ପରା, ସଂସ୍କୃତି ଓ ଭାଇଚାରାକୁ ଏକାଠି କରିଥିବା ଏହି ଗଣପର୍ବ ପଶ୍ଚିମ ଓଡ଼ିଶାର ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି । ଅନ୍ୟପଟେ ଗଣପର୍ବ ନୂଆଁଖାଇ ଅବସରରେ ବିଭିନ୍ନ ରାଜ ପରିବାରରେ ରାଜକୀୟ ପରମ୍ପରା ଓ ନିଷ୍ଠା ସହକାରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି କରାଯାଇଛି ।