ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ତେବେ ଅଧିବେଶନ ଆରମ୍ଭ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରୁଥିବା କହିଛନ୍ତି। ଭାରତର ବିକାଶ ଯାତ୍ରା ଓ ମହାକାଶ କ୍ଷେତ୍ରର ସଫଳତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ନିଜର ପାରମ୍ପରିକ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ସମସ୍ତ ଦଳକୁ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି । ଏଥର ମୌସୁମୀ ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଥିବା ବେଳେ, ଦେଶର ବିକାଶ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକତନ୍ତ୍ରର ସର୍ବୋଚ୍ଚ ମଞ୍ଚ ହେଉଛି ସଂସଦ ।

ତେଣୁ ସମସ୍ତ ସାଂସଦ ଦଳମତ ନିର୍ବିଶେଷରେ ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସମ୍ବୋଧନରେ ସେ ଦେଶର ସାମ୍ପ୍ରତିକ ସଫଳତାର ମଧ୍ୟ ଉଲ୍ଲେଖ କରିଥିଲେ । ଅର୍ଥନୀତି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସେ କହିଛନ୍ତି । ବିଶେଷ କରି ମହାକାଶ କ୍ଷେତ୍ରରେ ଭାରତର ବଢ଼ୁଥିବା ସାମର୍ଥ୍ୟକୁ ନେଇ ସେ ଗର୍ବ ପ୍ରକାଶ କରିଥିଲେ । ସମ୍ପ୍ରତି ବିକ୍ରମ-୧ ମିଶନର ସଫଳତା ପାଇଁ ବୈଜ୍ଞାନିକ ଓ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଏହି ସଫଳତା ଭାରତର ବୈଜ୍ଞାନିକ କ୍ଷମତା ଓ ଆତ୍ମନିର୍ଭରତାର ପ୍ରତୀକ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ସଫଳତା ଦେଶର ଯୁବପିଢ଼ିଙ୍କୁ ବିଜ୍ଞାନ ଓ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବ । ସଂସଦରେ ମଧ୍ୟ ଜନହିତ ଓ ବିକାଶମୂଳକ ବିଷୟକୁ ପ୍ରାଥମିକତା ଦେଇ ଫଳପ୍ରଦ ଆଲୋଚନା ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି ।