ରାୟଗଡ଼ା, (ସତ୍ୟପାଠ ବ୍ୟୁରୋ): ବର୍ଷା ଆରମ୍ଭ ହେବା ମାତ୍ରେ ମଶାଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଥାଏ। ବିଭିନ୍ନ ସ୍ଥାନରେ ପାଣି ଜମା ରହୁଥିବାବେଳେ ମଶାଙ୍କ ବଂଶ ବିସ୍ତାର ହୋଇଥାଏ। ଉପାନ୍ତ ଅଞ୍ଚଳରେ ଲୋକେ ସଚେତନ ନ ଥିବାବେଳେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ଆଉ ଚିକିତ୍ସା ଅଭାବରୁ ଅକାଳରେ ଜୀବନ ଚାଲିଯାଏ। ହେଲେ ବିଡ଼ମ୍ବନାର ବିଷୟ ଆଶ୍ରମ ସ୍କୁଲ ହଷ୍ଟେଲରେ କୁନି କୁନି ପିଲାମାନେ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବାବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅକାଳରେ ଝଡ଼ି ପଡ଼ୁଥିବା ଅଭିଯୋଗ ହେଉଛି। ଗତ ୭ ଦିନ ମଧ୍ୟରେ ୨ଟି ଆଶ୍ରମ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟଣା ଚିନ୍ତା ବଢ଼ାଇଛି। ରାୟଗଡ଼ା ଜିଲ୍ଲାରେ ପୁଣି ମ୍ୟାଲେରିଆ ନେଲା ଛାତ୍ରଙ୍କ ଜୀବନ। ମୃତ ଛାତ୍ର ଜଣଙ୍କ ହେଲେ ଚତୁର୍ଥ ଶ୍ରେଣୀର ଜୟସେନ କଣ୍ଡାଗରି। ବୟସ ମାତ୍ର ୯ ବର୍ଷ I ଜୟସେନ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଅତଡାର ହଷ୍ଟେଲରେ ରହି ପାଠ ପଢୁଥିଲେ I ଜୟସେନ ବଡକାଶିପାଡୁ ଗ୍ରାମର ଜୋହନ କଣ୍ଡାଗରୀଙ୍କ ପୁଅ ବୋଲି ଜଣାପଡିଛି । ସୂଚନାରୁ ଜଣାପଡିଛି ଜୟସେନ ଗତ ମାସରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ପ୍ରଥମେ ଜମାଦେଇପେଣ୍ଠ ସିଏଚସିରେ ଚିକିତ୍ସିତ ହୋଇଥିଲେ I କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା I କିନ୍ତୁ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମରରେ ଗତ ୭ ତାରିଖ ଦିନ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଇଥିଲା I ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି I ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ମ୍ୟାଲେରିଆ ଆକ୍ରାନ୍ତରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ୭ ଦିନ ମଧ୍ୟରେ ଦ୍ଵିତୀୟ ମ୍ୟାଲେରିଆ ଜନିତ ମୃତ୍ୟୁ ଘଟଣା ରାୟଗଡ଼ା ଜିଲ୍ଲାରୁ ଆସିଛି I ଜିଲ୍ଲାରେ ମ୍ୟାଲେରିଆ ରୋଗ ବଢ଼ି ଚାଲିଥିବାବେଳେ ଆଶ୍ରମ ସ୍କୁଲ ହଷ୍ଟେଲ ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରିବାକୁ ଦାବି ହେଉଛି।
