ଓଡ଼ିଆ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ଜାତୀୟ ଦେବତା। ସେ କୋଟି କୈବଲ୍ୟନାଥ, ମୁକ୍ତିଦାତା, ପରଂବ୍ରହ୍ମ। ସେ କୋଟି କୋଟି ଓଡ଼ିଆଙ୍କ ମଉଡ଼ି ମଣି। ତାଙ୍କପାଇଁ ବାରମାସରେ ତେରପର୍ବ ଓଡ଼ିଶାରେ ପାଳିତ ହୋଇଥାଏ। ତନ୍ମଧ୍ୟରୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା ଅନ୍ୟତମ। ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ଓଡ଼ିଶା ବ୍ୟତୀତ ସାରା ଦେଶରେ ଏବଂ ବିଦେଶରେ ମଧ୍ୟ ପାଳିତ ହୁଏ । ପୌରାଣିକ କଥାବସ୍ତୁ ଅନୁଯାୟୀ ପ୍ରଥମେ ଶ୍ରୀଜଗନ୍ନାଥ ଶବରରାଜା ବିଶ୍ଵାବସୁଙ୍କ ଦ୍ବାରା ନୀଳଗିରି କନ୍ଦରରେ ରହି ‘ନୀଳମାଧବ’ ନାମରେ ପୂଜିତ ହେଉଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ସହାୟତାରେ କୌଶଳକ୍ରମେ ଜଗନ୍ନାଥଙ୍କୁ ଆଣି ପୁରୀର ଶ୍ରୀମନ୍ଦିରରେ ସ୍ଥାପନା କରିଥିଲେ । ବିଶ୍ଵାବସୁ ତାଙ୍କର ଆରାଧ୍ୟ ଦେବତା ନୀଳମାଧବଙ୍କ ଦର୍ଶନ ବିନା ଜୀବନ ଧାରଣ କରିପାରିବେ ନାହିଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଗୁହାରିକଲେ। ଶବର ନିମ୍ନ ଜାତିର ହୋଇଥିବାରୁ ଶ୍ରୀମନ୍ଦିରରେ ତାଙ୍କର ଦର୍ଶନ ସମ୍ଭବପର ନୁହେଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ । ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତବତ୍ସଳ। ତେଣୁ ପରମ ଭକ୍ତ ବିଶ୍ଵାବସୁଙ୍କ ହୃଦୟର ଆବେଦନକୁ ଶ୍ରୀଜଗନ୍ନାଥ ଗ୍ରହଣକରି ଧର୍ମପ୍ରଣା ରାଣୀ ଗୁଣ୍ଡିଚାଙ୍କୁ ସ୍ବପ୍ନାଦେଶରେ ରଥଯାତ୍ରା ଉତ୍ସବ ବିଧାନ ନିମନ୍ତେ ନିର୍ଦ୍ଦେଶ ଦେଲେ। ଯାହାଫଳରେ ବିଶ୍ଵାବସୁଙ୍କ ସମେତ ଜାତିବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କର ଦର୍ଶନର ସୁବିଧା ପାଇପାରିବେ ଓ ଆତ୍ମ ସନ୍ତୋଷ ଲାଭ କରିପାରିବେ। ମାଳବ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଏହି ଯାତ୍ରା ପ୍ରଚଳନ କରାଇଥିବା ହେତୁ ତାଙ୍କ ନାମାନୁସାରେ ଏହି ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କୁହାଯାଏ।
ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହେଉଥିବା ଏହି ରଥଯାତ୍ରାର ଇତିହାସ ବହୁ ପ୍ରାଚୀନ। ଏହା ୧୧୫୦ ଖ୍ରୀଷ୍ଟାବ୍ଦରେ ଗଙ୍ଗ ରାଜବଂଶ ଦ୍ବାରା ଆରମ୍ଭ ହୋଇଥିଲା। ରଥଯାତ୍ରା ପାଇଁ ବର୍ତ୍ତମାନ ତିନିଗୋଟି ରଥ ନିର୍ମାଣ କରାଯାଉଛି। କିନ୍ତୁ ପୂର୍ବରୁ ଛଅଗୋଟି ରଥ ନିର୍ମିତ ହେଉଥିଲା। କାରଣ ବର୍ତ୍ତମାନ ଆମେ ଦର୍ଶନ କରୁଥିବା ବଡଦାଣ୍ଡ ବା ଶରଧାବାଲି ସେତେବେଳେ ମାଳିନୀ ନଦୀ ବା ଶ୍ରଦ୍ଧା ନଦୀ ଭାବରେ ପ୍ରବାହିତ ହେଉଥିଲା । ତେଣୁ ଦିଅଁମାନେ ବଡ ଦେଉଳରୁ ବାହାରି ତିନିଗୋଟି ରଥରେ ଆସି ବଳଗଣ୍ଡି ପାଖରେ ପହଞ୍ଚିବାପରେ ସେଠାରୁ ଡଙ୍ଗାରେ ପାରିହୋଇ ନଈର ଆର ପାର୍ଶ୍ବରେ ଦଣ୍ଡାୟମାନ ଥିବା ଅନ୍ୟ ତିନିଗୋଟି ରଥରେ ବସି ଗୁଣ୍ଡିଚା ବା ଜନ୍ମ ବେଦିକୁ ଯାତ୍ରା କରୁଥିଲେ । ଲାଙ୍ଗୁଳା ନରସିଂହଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ ସମୟରେ ମାଳିନୀ ନଦୀକୁ ପୋତାଯାଇ ସେବେଠାରୁ ଅଦ୍ୟାବଧି ତିନିଟି ରଥରେ ଯାତ୍ରା ବିଧି ସଂପନ୍ନ ହୋଇ ଆସୁଅଛି । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ପୁରୀରେ ପ୍ରତିବର୍ଷ ଯେଉଁ ଭୂବନ ବିଖ୍ୟାତ ଉତ୍ସବ ଅନୁଷ୍ଠିତ ହୁଏ ତାହା ରଥଯାତ୍ରା ନାମରେ ଖ୍ୟାତ। ରଥଯାତ୍ରା କେବଳ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ନୁହେଁ, ଏହା ବିଶ୍ବ ମାନବର ଜୟଯାତ୍ରା । ଗୁଣ୍ଡିଚା ମନ୍ଦିରରେ ରଥଗୁଡିକ ପହଞ୍ଚିବାପରେ ପହଣ୍ଡିକରି ଦିଅଁମାନଙ୍କୁ ମନ୍ଦିର ପ୍ରଦେଶ କରାଯାଏ । ସେଠାରେ ଠାକୁରମାନେ ନଅଦିନ ଅବସ୍ଥାନ କରନ୍ତି। ଆଷାଢ ଶୁକ୍ଳପକ୍ଷ ଦଶମୀ ଦିନକୁ ବାହୁଡା ଦଶମୀ କହନ୍ତି। ଏକାଦଶୀ ତିଥିରେ ରଥ ଉପରେ ଦିଅଁମାନଙ୍କର ସୁନାବେଶ କରାଯାଇଥାଏ। ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ରଥ ଉପରେ ଜଗନ୍ନାଥଙ୍କୁ ଦର୍ଶନକଲେ ଜୀବର ପୁନର୍ଜନ୍ମ ହୁଏନାହିଁ । ଅର୍ଥାତ-
ଦୋଳେଶ୍ଚ ଦୋଳ ଗୋବିନ୍ଦଂ
ଚାପେଚ ମଧୁସୂଦନଂ,
ରଥେତୁ ବାମନଂ ଦୃଷ୍ଟ୍ବା
ପୁନର୍ଜନ୍ମମ୍ ନ ବିଦ୍ବେତେ ।’
ଏହାପରେ ବିଧି ଅନୁସାରେ ଅଧରପଣା ନିତି, ଲକ୍ଷ୍ମୀଙ୍କର ମାନଭଞ୍ଜନ ଓ ନୀଳାଦ୍ରିବିଜେ ଭଳି ଅନେକ ନିତି ସଂପନ୍ନ ହୋଇ ଦିଅଁମାନେ ମନ୍ଦିର ପ୍ରବେଶ କରନ୍ତି । ଭାରତର ଚାରିଧାମ ମଧ୍ୟରୁ ଏହା ଅନ୍ୟତମ ଓ ଶ୍ରେଷ୍ଠ ଧାମ ଅଟେ ।
