ରାଉରକେଲା, : ପୁଣି ଥରେ ରାଉରକେଲାର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ସହର ପାଇଁ ଗୌରବ ଆଣିଛନ୍ତି। ବାଙ୍ଗାଲୋରଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ମିସ୍ ଇକୋ ଇଣ୍ଟରନ୍ୟାସନାଲ-୨୦୨୧ ଟାଇଟଲ ହାସଲ ସହ ମୁକୁଟ ବିଜୟୀ ହୋଇଛନ୍ତି। ଏହା ସହିତ ମାର୍ଚ୍ଚ-୨୦୨୨ରେ ସେ ଭାରତ ତରଫରୁ ସେ ଇଜିପ୍ଟ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସମଗ୍ର ଦେଶରେ ଆଭାସୀ ବ୍ୟବସ୍ଥାରେ ପ୍ରତିଯୋଗିତା ହୋଇଥିବା ବେଳେ ମନୋନୀତ ପ୍ରତିଯୋଗୀମାନଙ୍କ ମଧ୍ୟରେ ବାଙ୍ଗାଲୋରରେ ପ୍ରତ୍ୟକ୍ଷ ପ୍ରତିଯୋଗିତା ହୋଇଥିଲା। ୭ଟି ପର୍ଯ୍ୟାୟ ପରୀକ୍ଷାରେ ପ୍ରତୀକ୍ଷା ସଫଳ ହେବା ସହିତ ଟାଇଟଲ ହାସଲ କରିଥିଲେ।RELATED POSTS
ରାଉରକେଲାର ବାସନ୍ତୀ କଲୋନୀରେ ରହୁଥିବା ପ୍ରତୀକ୍ଷା ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳା ଇଂରାଜୀ ଅନର୍ସର ତୃତୀୟ ବର୍ଷ ଛାତ୍ରୀ। ବିଗତ ଦିନରେ ବହୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ସଫଳତାର ସ୍ୱାକ୍ଷର ହାସଲ କରିଛନ୍ତି। କୋଲକାତାଠାରେ ଅନୁଷ୍ଠିତ ମିସନ ଡ୍ରିମସ ଇଣ୍ଡିଆ ଫାଇନାଲର ଓଡ଼ିଶାର ଏକମାତ୍ର ପ୍ରତିଯୋଗୀଭାବେ ପ୍ରତୀକ୍ଷା ରନର୍ସ ଅପ ହୋଇ ରାଉରକେଲା ପାଇଁ ଗୌରବ ଆଣିଥିଲେ। ସର୍ବଭାରତୀୟ ଶିଶୁ ମହୋତ୍ସବରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜୁରୀ ପୁରସ୍କାର ହାସଲ କରିଛନ୍ତି। ୨୦୨୦ରେ ୧୫ତମ ଓଡ଼ିଆ ଟିଭି ଓ ଫିଲ୍ମ ପୁରସ୍କାର କ୍ରମରେ ସେ ନବପ୍ରତିଭା ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।
ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ଜାତୀୟସ୍ତରୀୟ ରୋପ୍ୟଜୟନ୍ତୀ ଗ୍ଲୋରୀଫେଷ୍ଟରେ ଗ୍ଲୋରୀ କୁଇନ ମୁକୁଟ ପିନ୍ଧିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା। ଏହା ସହିତ କଳିଙ୍ଗ ସୁନ୍ଦରୀ ସୁନ୍ଦରଗଡ଼ ଅଡିସନରେ ବିଚାରକ ଭାବେ ଯୋଗଦେଇ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ପ୍ରାୟ ୧୫ଟି ଫ୍ୟାସନ ସୋ’ରେ ଭାଗ ନେଇ ସେ ନିଜର ସଫଳତାକୁ ପ୍ରତିପାଦନ କରିଛନ୍ତି। ଭାରତ ସ୍କାଉଟ ଗାଇଡର ରାଜ୍ୟ ପୁରସ୍କାର ହାସଲ ସହିତ ପୁରସ୍କାର ପାଇଛନ୍ତି। ପ୍ରତିଭାସମ୍ପନ୍ନ ପିଲାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର ଭବିଷ୍ୟତ ଯୋଜନା ରହିବ ବୋଲି ସେ କହିଛନ୍ତି। ଏହା ସହିତ ଏକ ଅର୍ନ୍ତଜାତୀୟ ଯୁବ ଆଇକନ ଭାବେ ଓଡ଼ିଶା ତଥା ଭାରତରୁ ପ୍ରତିନିଧିତ୍ୱ କରିବା ତାଙ୍କ ଜୀବନର ଏକ ପ୍ରମୁଖ ଲକ୍ଷ୍ୟ ଥିବା ବେଳେ ଏହି ଲକ୍ଷ୍ୟ ପଥରେ ସେ ପହଂଚିଛନ୍ତି।। ପ୍ରତୀକ୍ଷାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
