ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ କରୋନା ପଜିଟିଭଙ୍କ ସଂଖ୍ୟା, ୪ ମୃତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗୁଛି | ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ ।

ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି ।

ଆଜି ୧୦,୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୦୬୫ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୧୭୯ ରହିଥିବା ବେଳେ ୫୩ ହଜାର ୧୭୧ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୯୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି । ଭଦ୍ରକ, କଟକ, ସୁନ୍ଦରଗଡ଼ ଓ ଜଗତସିଂହପୁର ରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

Related Posts