ଦିଗପହଣ୍ଡି(ସତ୍ୟପାଠ ବ୍ୟୁରୋ): ରାମାୟଣ ନାଟକ ଚାଲିଥିବାବେଳେ ବାଣ ଫୁଟି ଜଳିଗଲା ମଞ୍ଚ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ନାଟକ ଚାଲିଥିବା ସମୟରେ ହଠାତ୍ ବାଣରୁ ଲାଗିଲା ନିଆଁ । ଦେଖୁଦେଖୁ ରାମାୟଣ ନାଟକ ମଞ୍ଚଟି ହୁତୁହୁତୁ ହୋଇ ଜଳିଯାଇଛି। ଏହି ଭୟାବହ ଦୃଶ୍ୟ ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ମୁତାବକ, କୁକୁଡ଼ାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ କାଳିମନ୍ଦୀର ଛକ ନିକଟରେ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ଉତ୍ସବ ଉପଲକ୍ଷେ ସେଠାରେ ଦୁଇ ପାର୍ଟି ରାମାୟଣ ନାଟକର ଆୟୋଜନ କରାଯାଇଥିଲା । ଶତାଧିକ ଦର୍ଶକ ନାଟକର ମଜା ନେଉଥିବା ବେଳେ, ହଠାତ୍‌ ଏକ ଦୃଶ୍ୟ ସମୟରେ ଫୁଟାଯାଇଥିବା ବାଣର ନିଆଁ ସ୍ପାର୍କ ହୋଇ ମଞ୍ଚ ଉପରେ ପଡ଼ିଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦେଖୁଦେଖୁ ବଉଳଝୁଳି ପାର୍ଟିର ସମ୍ପୂର୍ଣ୍ଣ ସେଟ୍‌ ଓ ମଞ୍ଚଟିରେ ନିଆଁ ଲାଗିଯାଇଥିଲା । ମଞ୍ଚରେ ନିଆଁ ଲାଗିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏବଂ କମିଟି ସଦସ୍ୟମାନେ ତୁରନ୍ତ ସତର୍କତା ଅବଲମ୍ବନ କରିଥିଲେ । ବିନା କୌଣସି ବିଳମ୍ବରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଏହି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଠିକ୍ ସମୟରେ ନିଆଁକୁ ଲିଭାଇ ଦିଆଯାଇଥିବାରୁ ଏକ ବଡ଼ ବିପତ୍ତି ଟଳିଯାଇଛି ଏବଂ ସମସ୍ତ କଳାକାର ଓ ଦର୍ଶକ ସୁରକ୍ଷିତ ଥିବା ଜଣାପଡ଼ିଛି ।