ମୁମ୍ବାଇ(ସତ୍ୟପାଠବ୍ୟୁରୋ): ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ରାମ ମନ୍ଦିର ଦାନ ପାଣ୍ଠି ହେର୍‌ଫେର୍‌ କରିବାକୁ ନେଇ ହିନ୍ଦୁମାନେ ବିଜେପିକୁ କ୍ଷମା ଦେବେନାହିଁ ବୋଲି ଉଦ୍ଧବ କହିଛନ୍ତି। ରାମ ମନ୍ଦିର ଦାନ ଚୋରି ବିରୋଧରେ ସେ ସାରା ମହାରାଷ୍ଟ୍ରରେ ‘ରାମ ରକ୍ଷା’ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ସେ ସମସ୍ତ ରାମ ଭକ୍ତଙ୍କୁ ଦଳଗତ ନିର୍ବିଶେଷରେ ଆନ୍ଦୋଳନରେ ଯୋଗଦେବାକୁ ଅନୁରୋଧ କରିଥିଲେ। ଠାକରେ ଓ ଅନ୍ୟ ଶିବସେନା (ୟୁବିଟି) ନେତାମାନେ ଆସନ୍ତା ରବିବାର ସନ୍ଧ୍ୟାରେ ମୁମ୍ବାଇର ଦାଦର ପଶ୍ଚିମରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରି ଆନ୍ଦୋଳନ ଆରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ଉଦ୍ଧବ କହିଛନ୍ତି, ଆମେ ମନ୍ଦିରରେ ଏକତ୍ରିତ ହେବୁ ଓ ରାମ ରକ୍ଷା ସ୍ତୋତ୍ର, ମାରୁତି ସ୍ତୋତ୍ର ଓ ହନୁମାନ ଚାଳିଶା ପାଠ କରିବୁ। ରାମ ମନ୍ଦିର ନାମରେ ଲୁଟ୍ ଉପରେ କ୍ରୋଧିତ ସମସ୍ତ ରାମ ଭକ୍ତ ଏଥିରେ ଅଂଶଗ୍ରହଣ କରିବା ଉଚିତ। ସେ ବିଜେପି ନେତା ଓ କର୍ମୀମାନଙ୍କୁ ସେମାନଙ୍କ ସହିତ ଆନ୍ଦୋଳନରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ରର ସମସ୍ତ ରାମ ଓ ହନୁମାନ ମନ୍ଦିରର ନିକଟରେ ଆନ୍ଦୋଳନ କରାଯିବ ବୋଲି ଉଦ୍ଧବ କହିଛନ୍ତି।